ମହାରାଷ୍ଟ୍ରରେ ଏଚ୍ଏମ୍‌ପିଭି ଭୂତାଣୁରେ ସଂକ୍ରମିତ ହୋଇଛି ୬ ମାସର ଶିଶୁକନ୍ୟା

ମହାରାଷ୍ଟ୍ରରେ ଏଚ୍ଏମ୍‌ପିଭି ଭୂତାଣୁ ପ୍ରବେଶ କରିଛି। ନାଗପୁର ପରେ ମୁମ୍ବାଇର ପୱାଇସ୍ଥିତ ହିରାନନ୍ଦାନୀ ହସ୍ପିଟାଲରେ ଏଚଏମପିଭିର ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୬ ମାସର ଶିଶୁକନ୍ୟାରେ ଲକ୍ଷଣ ଦେଖିବାକୁ ମିଳିଛି। ଗତ ଜାନୁଆରି ୧ ତାରିଖରେ ପ୍ରବଳ କାଶ, ଛାତିରେ ଯନ୍ତ୍ରଣା ଓ ଅମ୍ଳଜାନ ସ୍ତର ୮୪ ପ୍ରତିଶତକୁ ଖସି ଆସିବାରୁ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନୂଆ ରାପିଡ୍ ପିସିଆର ଟେଷ୍ଟ ମାଧ୍ୟମରେ ଡାକ୍ତରମାନେ ଏହି ଭୂତାଣୁ କୁ ନିଶ୍ଚିତ କରିଛନ୍ତି।ଭୂତାଣୁର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନଥିବାରୁ ଆଇସିୟୁରେ ବ୍ରୋଙ୍କୋଡିଲେଟର ଭଳି ଔଷଧ ଦେଇ ନାବାଳିକାଙ୍କ ଚିକିତ୍ସା କରାଯାଇଥିଲା ବୋଲି ଡାକ୍ତରମାନେ କହିଛନ୍ତି। ପାଞ୍ଚ ଦିନ ପରେ ଶିଶୁଟିକୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଅନ୍ୟପକ୍ଷରେ ବିଏମ୍ସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାର କୌଣସି ରିପୋର୍ଟ ମିଳିନାହିଁ, କିନ୍ତୁ ସେମାନେ ଇନ୍ଫ୍ଲୁଏଞ୍ଜା ଓ ଗୁରୁତର ଶ୍ୱାସକ୍ରିୟା ସଂକ୍ରମଣ ଉପରେ ନଜର ରଖିଛନ୍ତି। ଡାକ୍ତର କହିଛନ୍ତି ଯେ ଏଚଏମପିଭି ଦଶନ୍ଧି ଧରି ରହିଛି ଏବଂ ମୁଖ୍ୟତଃ ଶିଶୁ ଏବଂ ବୟସ୍କମାନଙ୍କୁ ପ୍ରଭାବିତ କରେ, କିନ୍ତୁ ଏହା କୋଭିଡ୍ ପରି ମହାମାରୀ ସୃଷ୍ଟି କରିବାର ସମ୍ଭାବନା ନାହିଁ।

ଏହା ପୂର୍ବରୁ ମଙ୍ଗଳବାର ମହାରାଷ୍ଟ୍ରର ନାଗପୁରରେ ହ୍ୟୁମାନ ମେଟାପ୍ୟୁମୋଭାଇରସ୍ (ଏଚ୍ଏମ୍ପିଭି)ର ଦୁଇଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଥିଲା। ଉଭୟ ରୋଗୀ ସୁସ୍ଥ ଅଛନ୍ତି। ସେମାନଙ୍କ ନମୁନା ସଂଗ୍ରହ କରାଯାଇଛି। ଚିକିତ୍ସା ପରେ ରୋଗୀମାନଙ୍କୁ ଘରକୁ ପଠାଯାଇଛି ଏବଂ ସେମାନଙ୍କ ନମୁନା ଏମ୍ସ ଏବଂ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନଆଇଭି)କୁ ପଠାଯାଇଛି।ଜିଲ୍ଲାପାଳ ବିପିନ ଇଟାଙ୍କର କହିଛନ୍ତି ଯେ ପିଲାମାନେ ସୁସ୍ଥ ଅଛନ୍ତି। ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। କର୍ଣ୍ଣାଟକ, ତାମିଲନାଡୁ ଏବଂ ଗୁଜରାଟରେ ଏଚଏମପିଭି ମାମଲା ସାମ୍ନାକୁ ଆସିଛି।

Related Articles

Back to top button