ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୨ସପ୍ତାହ ପର୍ଯ୍ୟନ୍ତ ଓଡ଼ିଶା ସମେତ ୧୨ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା
ଭୁବନେଶ୍ୱର : ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୨ସପ୍ତାହ ପର୍ଯ୍ୟନ୍ତ ପାଣିପାଗରେ ପରିବର୍ତ୍ତନ ପରିଲକ୍ଷିତ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ସୂଚନା ଅନୁସାରେ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀ ଓ ଓଡିଶା ସମେତ ଅନ୍ୟ ୧୧ଟି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଏହି କ୍ରମରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, କର୍ଣ୍ଣାଟକ, ମେଘାଳୟ, ମଣିପୁର, ନାଗାଲାଣ୍ଡ ଓ ମିଜୋରାମଆଦିରେ ବର୍ଷା ସମ୍ବନ୍ଧୀୟ ସତର୍କତା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ମୋଟ ୧୨ଟି ରାଜ୍ୟକୁ ଆଲର୍ଟ ଜାରି କରିଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୨ରୁ ୧୪ ତାରିଖ ଓଡ଼ିଶାରେ ପାଗ ଶୁଖିଲା ରହିବା କାରଣରୁ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି। ତେବେ ୧୫ରୁ ପୁଣି କାଳବୈଶାଖୀ ପ୍ରଭାବ କାରଣରୁ ରାଜ୍ୟର କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର,କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଧା,ନୟାଗଡ଼, ଗଞ୍ଜାମ, ଗଜପତି, କେଉଁଝର, ମୟୁରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ଆଶଙ୍କା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ଏଥିସହ ଉପକୂଳ ଓଡ଼ିଶାରେ ୧୭, ୧୮, ୧୯ ତାରିଖରେ କାଳବୈଶାଖୀ ବର୍ଷା ପରିମାଣ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି IMD।