୬ ଦିନ ହେଲା କପିଳେଶ୍ୱର ମନ୍ଦିରରେ ତାଲା: ୧୪ ସେବାୟତଙ୍କ ନାଁରେ ଲାଗିଲା ୧୦୭ ଦଫା

ଭୁବନେଶ୍ୱର: କପିଳେଶ୍ୱର ମନ୍ଦିରରେ ୬ ଦିନ ହେଲା  ତାଲା ପଡ଼ିଛି। ଅପୂଜା ରହିଛନ୍ତି ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ କପିଳେଶ୍ୱର। ଏହାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହେଲାଣି। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଆଲୋଚନା ବାରମ୍ବାର ବିଫଳ ହେବାରେ ଲାଗିଛି। ଏପରିସ୍ଥଳେ ସେବାୟତଙ୍କ ଜିଦ୍‌କୁ ଭାଙ୍ଗିବା ପାଇଁ ପ୍ରଶାସନ ଆଜି ଆଇନଗତ ପଦକ୍ଷେପ ନେଇଛି। ପ୍ରଶାସନର ପରାମର୍ଶକ୍ରମେ ପୁଲିସ ୧୪ ସେବାୟତଙ୍କ ନାଁରେ ୧୦୭ ଦଫା ଲାଗୁ କରିଛି। ଉଭୟ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ବିରୋଧରେ ଏହି ଦଫାରେ ମାମଲା କରାଯାଇଛି। ଆଗକୁ କୌଣସି ପ୍ରକାର ଗଣ୍ଡଗୋଳ ହେଲେ, ସେମାନେ ଦାୟୀ ରହିବେ ଏବଂ ସେମାନଙ୍କ ବିରୋଧରେ କଠୋର ଫୌଜଦାରୀ ମାମଲା ରୁଜୁ କରାଯିବ। ତେବେ, ଏହି ବିବାଦର ସମାଧାନ ଦିଗରେ ଦେବୋତ୍ତର ବିଭାଗର ନିରବତାକୁ ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା‌ ସୃଷ୍ଟି ହୋଇଛି। କପିଳେଶ୍ବର ମନ୍ଦିରଠାରୁ ମାତ୍ର ୨ କିମି ଦୂରରେ ଦେବୋତ୍ତର ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଥିବା ସତ୍ତ୍ବେ କପିଳନାଥଙ୍କ ଭଳି ଜୀବନ୍ତ ଠାକୁର ୬ ଦିନ ହେଲା ଉପାସରେ ରହିବା ଘଟଣାକୁ ସହରବାସୀ ନିନ୍ଦା‌ କରିଛନ୍ତି।

ସୂଚନାନୁସାରେ, ଆଜି ଶ୍ରୀଲିଙ୍ଗରାଜ ଥାନା ପୁଲିସ ୧୪ଜଣ ସେବାୟତଙ୍କ ନାମରେ ୧୦୭ ଦଫାରେ ନୋଟିସ୍‌ ଜାରି କରିଛି। ଆଗକୁ ମନ୍ଦିର ପ୍ରଶାସନ ଠାକୁରଙ୍କ ନୀତିକାନ୍ତି କରାଇବାକୁ ଉଦ୍ୟମ କଲାବେଳେ ସେବାୟତଙ୍କ ପକ୍ଷରୁ ବିଶୃଙ୍ଖଳା ସୃଷ୍ଟି କରାଯିବାର ଆଶଙ୍କା ରହିଛି। ତେଣୁ କୌଣସି ଅପ୍ରୀତିକର ଘଟଣା ଘଟିବା ପୁର୍ବରୁ ଉଭୟ ମଲିଆ ଗୋଷ୍ଠୀର ୭ଜଣ ଓ ଖୁଣ୍ଟିଆ ସେବାୟତ ଗୋଷ୍ଠୀର ୭ଜଣଙ୍କ ବିରୋଧରେ ପୁଲିସ ଏହି ନୋଟିସ ଜାରି କରିଛି। ଆଗକୁ ଆହୁରି ଅଧିକ ସଂଖ୍ୟକ ସେବାୟତଙ୍କ ନାମରେ ଏହି ଦଫା ଲାଗିବ ବୋଲି ପୁଲିସ ସୂଚନା ଦେଇଛି। ଏହି ସେବାୟତମାନେ ୪ ତାରିଖ ମଧ୍ୟରେ ଏକ୍‌ଜିକ୍ୟୁଟିଭ୍‌ ମାଜି‌‌ଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର ହୋଇ ପିଆର୍‌ ବଣ୍ତରେ ଦସ୍ତଖତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button