
ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ଖୁବ୍ ବର୍ଷିଛି ଭାରତ
ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଖୁବ୍ ଜ୍ଞାନବାଣୀ ଶୁଣାଇଛି । ଆଉ ଏହି ସମୟରେ ବୈଠକର ଅଧ୍ୟକ୍ଷତା କରୁଥିଲା ପାକିସ୍ତାନର ଘନିଷ୍ଠ ସହଯୋଗୀ ଚୀନ । ତଥାପି ଭାରତ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଆଇନା ଦେଖାଇବାରେ କୌଣସି ହେଳା କରି ନ ଥିଲା । ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି, ଭାରତ ଦୀର୍ଘ ସମୟରୁ ପାକିସ୍ତାନରେ ସକ୍ରିୟ ଜୈଶ ଇ ମହମ୍ମଦ ପରି ଆତଙ୍କୀ ସଂଗଠନର କାର୍ଯ୍ୟକଳାପରେ ପୀଡିତ । ଏହା ପରେ ବି ଆତଙ୍କବାଦର କେନ୍ଦ୍ର ପାକିସ୍ତାନ ଏହା କହୁଛି ଯେ, ତାଙ୍କ ଦେଶ ଆତଙ୍କବାଦର ମୁକାବିଲା କରିବାକୁ ଉଦ୍ୟମ କରୁଛି, ଯାହା ଦୁନିଆ ପାଇଁ ସବୁଠୁ ବଡ ବିଡମ୍ବନା । ଆଉ ଏହି ସମୟରେ ଚୀନ ଚୁପଚାପ ଶୁଣି ଚାଲିଥିଲା ।
ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ ଡାରଙ୍କ ବୟାନ ଜବାବରେ ଏମିତି ଉତ୍ତର ରଖିଛନ୍ତି ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ । ପାକିସ୍ତାନର ମନ୍ତ୍ରୀ ଗ୍ଲୋବାଲ ଗଭର୍ଣ୍ଣାନ୍ସରେ ସୁଧାରକୁ ନେଇ ଏକ ଆଲୋଚନା ଚକ୍ରରେ ଜମ୍ମୁ-କାଶ୍ମୀର ବିଷୟରେ ଉଲ୍ଲେଖ କରିଥିଲେ । ଏହା ପରେ ଭାରତର ପାଳି ପଡିବାରୁ ପି ହରିଶ ପାକିସ୍ତାନକୁ ଖୁବ୍ ଶୁଣାଇଛନ୍ତି ଏବଂ ପାକିସ୍ତାନକୁ ବିଶ୍ୱ ଆତଙ୍କବାଦର କେନ୍ଦ୍ର ବୋଲି କହିଥିଲେ । ଏବେ ମଧ୍ୟ ପାକିସ୍ତାନରେ ୨୦ରୁ ଅଧିକ ଆତଙ୍କୀ ସଂଗଠନ ସକ୍ରିୟ ଥିବା ସେ କହିଛନ୍ତି । ଆଉ ଏହି ସବୁ ଆତଙ୍କୀ ସଂଗଠନ ମିଳିତ ଜାତିସଂଘର କଟକଣା ତାଲିକାରେ ସାମିଲ ।ପି ହରିଶ କହିଛନ୍ତି, ପାକିସ୍ତାନ କହୁଛି ସେ ଆତଙ୍କବାଦ ବିରୋଧରେ ଲଢୁଛି ଆଉ ଏହା ଦୁନିଆ ପାଇଁ ସବୁଠୁ ବଡ ବିଡମ୍ବନା । ଭାରତ ତ ଦୀର୍ଘ ସମୟ ଧରି ପାକିସ୍ତାନରୁ ବ୍ୟାପ୍ତ ଆତଙ୍କବାଦ ଦ୍ୱାରା ପୀଡିତ । ସେଠାରେ ଜୈଶ ଇ ମହମ୍ମଦ ଓ ହରକତ ଉଲ ମୁଜାହିଦ୍ଦୀନ ପରି ସଂଗଠନ ସକ୍ରିୟ ଅଛନ୍ତି ।