ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନକୁ ନେଇ ଏବେ ପାକିସ୍ଥାନକୁ ନୋଟିସ ଜାରି କଲା ଭାରତ

ନୂଆଦିଲ୍ଲୀ: ବହୁତ ଖରାପ ସମୟ ଦେଇ ଗତି କରୁଛି ଏବେ ପାକିସ୍ତାନ । ୧୯୬୦ ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନକୁ ନେଇ ଏବେ ପାକିସ୍ଥାନକୁ ନୋଟିସ ଜାରି କରିଛି ଭାରତ । ପାକିସ୍ତାନର ବହୁ କାର୍ଯ୍ୟ ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନ କରୁଥିବାରୁ ଏହି ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି । ୧୯୬୦ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଓ ପାକିସ୍ତାନ ପ୍ରତିପକ୍ଷ ଆୟୁବ ଖାଁଙ୍କ ମଧ୍ୟରେ ସିନ୍ଧୁ ଜଳ ରାଜିନାମା ସ୍ବାକ୍ଷର ହୋଇଥିଲା।

ଏହି ରାଜିନାମା ବିଶ୍ବବ୍ୟାଙ୍କ ମଧ୍ୟସ୍ଥତାରେ ହୋଇଥିଲା। ରାଜିନାମା ଅନୁଯାୟୀ ଦୁଇ ଦେଶ ସିନ୍ଧୁ ନଦୀ ଜଳ ଉପରେ ନିଜର ଅଧିକାର ସାବ୍ୟସ୍ତ କରିଆସୁଛନ୍ତି।  କିନ୍ତୁ ଗତ ୫ବର୍ଷ ହେଲା ଏହି ରାଜିନାମାକୁ ନେଇ ବିବାଦ ଦେଖାଯାଇଛି। ବିବାଦର ସମାଧାନ ନିମନ୍ତେ ରାଜିନାମାରେ ସଂଶୋଧନ କରିବାକୁ ଭାରତ କହି ଆସୁଥିବାବେଳେ ପାକିସ୍ତାନ ଏହାକୁ ଏଡ଼ାଇ  ଚାଲିଛି।

ରାଜିନାମାର ସଂଶୋଧନ ନିମନ୍ତେ ୨୦୧୭ରୁ ୨୦୨୨ ମଧ୍ୟରେ ଭାରତର ସିନ୍ଧୁ ଜଳ କମିସନର ଏକେ ପଟେଲ ଓ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ମେହର ଅଲି ଶାହାଙ୍କ ମଧ୍ୟରେ ୫ଥର ବୈଠକ ହୋଇଛି। ହେଲେ ଏହି ବୈଠକରେ କୌଣସି ସମାଧାନର ସୂତ୍ର ବାହାରିପାରି ନାହିଁ। ଫଳରେ ବାଧ୍ୟ ହୋଇ ଭାରତ ଏବେ ରାଜିନାମାର ସମାଧାନ ନିମନ୍ତେ ପାକିସ୍ତାନକୁ ନୋଟିସ ଜାରି କରିଛି।

ରିପୋର୍ଟ ଅନୁଯାୟୀ ଜାନୁଆରୀ ୨୫ ତାରିଖରେ ଭାରତ ସରକାର ସିନ୍ଧୁ ଜଳ ଆୟୋଗଙ୍କ ମାଧ୍ୟମରେ ରାଜିନାମାର ସଂଶୋଧନ ନିମନ୍ତେ ପାକିସ୍ତାନକୁ ଚିଠି ଲେଖିଛନ୍ତି। ୯୦ଦିନ ମଧ୍ୟରେ ବିବାଦର ସଂଶୋଧନ କରିବାକୁ ଭାରତ ନୋଟିସ ଦେଇଛି। ସିନ୍ଧୁ ଜଳ ରାଜିନାମା ଅନୁଯାୟୀ ସତ୍‌ଲେଜ, ବ୍ୟାସ ଓ ରବି ନଦୀର ଜଳକୁ ଭାରତ ବ୍ୟବହାର କରିବ। ସେହିପରି ସିନ୍ଧୁ, ଝେଲମ୍ ଓ ଚେନାବ ନଦୀର ଜଳକୁ ପାକିସ୍ତାନ ବ୍ୟବହାର କରିବ।  କେବଳ ଏତିକି ନୁହେଁ ସେପଟେ  କାଶ୍ମୀରର କିଷନଗଙ୍ଗା ଓ ରତଲେ ହାଇଡ୍ରୋପାୱାର ପ୍ରକଳ୍ପ ନିର୍ମାଣକୁ ପାକିସ୍ତାନ ବିରୋଧ କରିଆସୁଛି।

ପାକିସ୍ତାନ ଯେଉଁ ଆପତ୍ତି ଉଠାଇଛି ତାର ସମାଧାନ ନିମନ୍ତେ ନିରପେକ୍ଷ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ଏଥିରେ ସମ୍ମତି ପ୍ରକାଶ କରିଥିଲା। ମାତ୍ର ପରବର୍ତ୍ତୀ ସମୟରେ ପାକିସ୍ତାନ କୋର୍ଟ ଅଫ୍ ଆର୍ବିଟ୍ରେନସନ ନିଯୁକ୍ତ ଦେବାକୁ ଏକପାକ୍ଷିଆ ନିଷ୍ପତ୍ତି ନେଇଥିଲା। ଫଳରେ ରାଜିନାମାକୁ ନେଇ ବିବାଦ ଦେଖାଯାଇଥିଲା।

Related Articles

Back to top button