
ଭାରତରେ ଆସି ପହଞ୍ଚିଲା ବହୁ ପ୍ରତୀକ୍ଷିତ ଆପାଚି ହେଲିକପ୍ଟର୍ ।
ଭାରତରେ ଆସି ପହଞ୍ଚିଲା ବହୁ ପ୍ରତୀକ୍ଷିତ ଆପାଚି ହେଲିକପ୍ଟର୍ । ପ୍ରଥମ ବ୍ୟାଚରେ ତିନୋଟି ହେଲିକପ୍ଟର୍ ପହଞ୍ଚିଛି । ରାଜସ୍ଥାନର ଯୋଧପୁର ଠାରେ ସ୍ଥଳସେନାକୁ ଏହି ହେଲିକପ୍ଟର ହସ୍ତାନ୍ତର କରାଯାଇଛି । ଆମେରିକା ପକ୍ଷରୁ ଏହି ଲଢ଼ୁଆ ହେଲିକପ୍ଟରକୁ ଏକ କାର୍ଗୋ ବିମାନ ଯୋଗେ ଭାରତ ଅଣାଯାଇଛି ।୨୦୨୪ ମେ ମାସରୁ ଆପାଚି ହେଲିକପ୍ଟର ଆସିବା ନେଇ ଆମେରିକା ସହ ଚୁକ୍ତି ହୋଇଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଆମେରିକା ତାରିଖ ପରେ ତାରିଖ ଗଡ଼ାଇ ଚାଲିଥିଲା । ଆଜି ଏହାର ପ୍ରଥମ ବ୍ୟାଚ୍ ଭାରତକୁ ହସ୍ତାନ୍ତର କରିଛି ଆମେରିକା । ତେବେ ପୂର୍ବରୁ ଭାରତୀୟ ବାୟୁସେନା ନିକଟରେ ଏହି ଆମେରିକା ନିର୍ମିତ ୨୨ଟି ଆପାଚି ହେଲିକପ୍ଟର ରହିଛି ।
ଆପାଚି ହେଲିକପ୍ଟରଟି ନାଇଟ୍ ଭିଜନ୍ ଏବଂ ଥର୍ମାଲ୍ ସେନ୍ସର ରହିଛି ଯାହା ରାତିରେ ଏବଂ ଖରାପ ପାଗରେ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ । ଟାର୍ଗେଟ ଆକ୍ୱିଜିସନ୍ ସିଷ୍ଟମ୍ ଏବଂ ପାଇଲଟ୍ ନାଇଟ୍ ଭିଜନ୍ ସେନ୍ସରଗୁଡ଼ିକ ସଠିକତାର ସହିତ ଶତ୍ରୁକୁ ଚିହ୍ନଟ ଏବଂ ଟାର୍ଗେଟ କରିବାରେ ସାହାଯ୍ୟ କରେ । ଏହା ୬୦ ସେକେଣ୍ଡରେ ୧୨୮ଟି ଟାର୍ଗେଟକୁ ଚିହ୍ନଟ ଏବଂ ନଷ୍ଟ କରିବାରେ ସକ୍ଷମ ।
ଏହି ଯୁଦ୍ଧ ହେଲିକପ୍ଟର ପ୍ରତି ମିନିଟରେ ୬୨୫ ରାଉଣ୍ଡ ଗୁଳି ଚଳାଇପାରିବ । ଏହି ହେଲିକପ୍ଟରରେ AGM-114 ହେଲଫାୟାର ମିସାଇଲ ସିଷ୍ଟମ ଲାଗିଛି, ଯାହା ଟ୍ୟାଙ୍କ ଆଣ୍ଟି-ଟ୍ୟାଙ୍କ, ଲେଜର-ଗାଇଡେଡ୍ ମିସାଇଲ, ଆର୍ମର୍ଡ ଯାନଗୁଡ଼ିକୁ ନଷ୍ଟ କରିବାରେ ସକ୍ଷମ । ଏହି ହେଲିକପ୍ଟର ଗୋଟିଏ ମିନିଟରେ ଏକାଥରକେ ୧୬ ଟି ଲକ୍ଷ୍ୟକୁ ଆକ୍ରମଣ କରିବାର କ୍ଷମତା ରଖିଛି । ଆପାଚି ହେଲିକପ୍ଟରର ସର୍ବାଧିକ ଗତି ଘଣ୍ଟା ପ୍ରତି ୨୮୦-୩୬୫ କିଲୋମିଟର ରହିଛି । ଏହା ୩ ରୁ ୩.୫ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ରହିପାରିବ । ଏହି ହେଲିକପ୍ଟରର ଓଜନ ୬,୮୩୮ କିଲୋ ରହିଥିବା ବେଳେ ଅଧିକତମ ଟେକଅପ୍ ଓଜନ ୧୦,୪୩୩ କିଲୋ ରହିଛି ।