୨୦୩୦ ପୂର୍ବରୁ ଭାରତ ଓ ରୁଷ୍ ୧୦୦ ବିଲିୟନ ଡଲାରର ବାଣିଜ୍ୟ ଲକ୍ଷ୍ୟ କରିବ ହାସଲ : ଏସ୍ ଜୟଶଙ୍କର
ଧାର୍ଯ୍ୟ ସମୟସୀମା ୨୦୩୦ ପୂର୍ବରୁ ଭାରତ ଓ ରୁଷ୍ ୧୦୦ ବିଲିୟନ ଡଲାରର ବାଣିଜ୍ୟ ଲକ୍ଷ୍ୟ ହାସଲ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି । ଆଜି ନୂଆଦିଲ୍ଲୀଠାରେ ବାଣିଜ୍ୟ, ଆର୍ଥିକ, ବୈଜ୍ଞାନିକ, ବୈଷୟିକ ଏବଂ ସାଂସ୍କୃତିକ ସହଯୋଗ ଉପରେ ଭାରତ-ରୁଷ୍ ଆନ୍ତଃ ସରକାରୀ ଆୟୋଗର ୨୫ତମ ଅଧିବେଶନରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ରୁଷ୍ ଭାରତ ପାଇଁ ସାର କ୍ଷେତ୍ରରେ ଏକ ପ୍ରମୁଖ ଉତ୍ସ ଭାବେ ଉଭା ହୋଇଛି ।ଭାରତକୁ ଅଶୋଧିତ ତୈଳ, କୋଇଲା ଏବଂ ୟୁରାନିୟମ ଯୋଗାଣ କ୍ଷେତ୍ରରେ ରୁଷ୍ର ଅବଦାନ ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ । ସେହିପରି ଭାରତର ଔଷଧ ଉଦ୍ୟୋଗ ରୁଷ୍ ପାଇଁ ଏକ ସୁଲଭ ଏବଂ ବିଶ୍ୱସନୀୟ ଉତ୍ସ ପାଲଟିଛି । ଜୟଶଙ୍କର କହିଛନ୍ତି ବାଣିଜ୍ୟିକ କାରବାର ଦେୟ ଏବଂ ଲଜିଷ୍ଟିକ କ୍ଷେତ୍ରରେ ଅଗ୍ରଗତି ଘଟିଥିଲେ ହେଁ ଏବେବି ଅନେକ ଆହ୍ୱାନ ରହିଛି । ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର, ଚେନ୍ନାଇଭ୍ଲାଡିଭୋଷ୍ଟକ କରିଡର ଏବଂ ଉତ୍ତର ସାମୁଦ୍ରିକ ମାର୍ଗ ଭଳି ସଂଯୋଗୀକରଣ କ୍ଷେତ୍ରରେ ଭାରତ-ରୁଷ୍ର ମିଳିତ ପ୍ରୟାସ ଜରି ରହିବା ଆବଶ୍ୟକ ବୋଲି ଶ୍ରୀ ଜୟଶଙ୍କର ଗୁରୁତ୍ୱାରୋପ କରିଛନ୍ତି ।