କାନାଡା ଯାଉଥିବା ଶିକ୍ଷାର୍ଥୀଙ୍କ ପାଇଁ ସତର୍କ ସୂଚନା ଜାରି କଲା ଭାରତ

ନୂଆଦିଲ୍ଲୀ: କାନାଡାରେ ରହୁଥିବା ଓ ସେଠାକୁ ପାଠପଢ଼ିବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ସତର୍କ ରହିବାକୁ ଆଜି ଭାରତ ସରକାର ପରାମର୍ଶ ଦେଇଛନ୍ତି। ଘୃଣା ଅପରାଧ ବା ହେଟ କ୍ରାଇମ ସଂଖ୍ୟା ଆଶାତୀତ ବଢ଼ୁଛି। ସେହିପରି ସାଂପ୍ରଦାୟକି ହିଂସା ଓ ଭାରତ ବିରୋଧୀ କାର୍ଯ୍ୟକ୍ରମ କାନାଡାରେ ବଢ଼ୁଥିବାରୁ ଭାରତୀୟ ଶିକ୍ଷାର୍ଥୀଙ୍କୁ ସବୁ ପ୍ରକାରର ପରିସ୍ଥିତି ପ୍ରତି ଯତ୍ନବାନ ରହିବାକୁ କୁହାଯାଇଛି।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ କାନାଡର ବିଭିନ୍ନ ସହରରେ ବଢ଼ୁଥିବା ହେଟ କ୍ରାଇମ, ସାଂପ୍ରଦାୟିକ ହିଂସା ଓ ଭାରତ ବିରୋଧୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଛି। ଘଟଣାର ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସରକାର କହିଛନ୍ତି। ତଥାପି ଘୃଣା ଅପରାଧ ଘଟାଉଥିବା ଅପରାଧୀମାନଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ଏଯାଏ ସାମିଲ କରାଯାଇନି।

ଏହାକୁ ଦୃଷ୍ଟିରେ ରଖି କାନାଡାରେ ରହୁଥିବା ଭାରତୀୟ ନାଗରିକ ଓ ଶିକ୍ଷାର୍ଥୀମାନେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରନ୍ତୁ। ସେହିପରି କାନାଡା ବୁଲିବାକୁ ଓ ସେଠାରେ ପାଠପଢ଼ିବାକୁ ଯାଉଥିବା ଭାରତୀୟଙ୍କୁ ମଧ୍ୟ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି।

ଖଲିସ୍ତାନ ସପକ୍ଷବାଦୀଙ୍କ ତଥାକଥିତ ସ୍ୱତନ୍ତ୍ର ଶିଖ୍‌ ପ୍ରଦେଶ ଗଠନ ପାଇଁ ଜନମତ ସଂଗ୍ରହ ସପକ୍ଷରେ ମତ ଦେବାରୁ ଭାରତ ସରକାର ଏପରି ସତର୍କତା ଜାରି କରିଛନ୍ତି। ସେହିପରି କିଛି ଦିନ ପୂର୍ବରୁ କାନାଡାର ଟରୋଣ୍ଟୋରେ ଥିବା ହିନ୍ଦୁ ମନ୍ଦିରରେ ମଧ୍ୟ ଖଲିସ୍ତାନୀ ଆତଙ୍କବାଦୀମାନେ ଭାରତ ବିରୋଧୀ ନାରାବାଜୀ ଥିବା ପୋଷ୍ଟର ଲଗାଇଥିଲେ।

Related Articles

Back to top button