ନଭେମ୍ବର ପ୍ରଥମ ସପ୍ତାହରେ ଅଗ୍ନିବୀର ପଞ୍ଜୀକରଣ କରିବ ବାୟୁସେନା

ନୂଆଦିଲ୍ଲୀ: ଅଗ୍ନିବୀର ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗ୍ନିପଥ ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉଛି । ଏହାରି ଭିତରେ ଅଗ୍ନିବୀରବାୟୁ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ବାୟୁସେନା । ନଭେମ୍ବର ମାସ ପ୍ରଥମ ସପ୍ତାହରୁ ପଞ୍ଜୀକରଣ କରିବ ବାୟୁସେନା । ଉଭୟ ପୁରୁଷ ଓ ମହିଳା ପ୍ରାର୍ଥୀ ପଞ୍ଜୀକରଣ କରିପାରିବେ । ଆସନ୍ତାବର୍ଷ ଅର୍ଥାତ ୨୦୨୩ ଜାନୁଆରୀ ମଧ୍ୟ ଭାଗରେ ଅନଲାଇନ ପରୀକ୍ଷା ହେବ । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ଗତ ଜୁନ ୨୪ ରେ ଆଶାୟୀ ପ୍ରାର୍ଥୀମାନେ ଅଗ୍ନିପଥରେ ପଞ୍ଜିକରଣ କରିଥିଲେ । ଜୁଲାଇ ୫ ଯାଏ ଏହି ପଞ୍ଜୀକରଣ ହୋଇଥିଲା । ୨୧  ଅଗଷ୍ଟରୁ ୨୮ ତାରିଖ ମଧ୍ୟରେ ଚୟନ ପ୍ରାର୍ଥୀଙ୍କ ଫିଜିକାଲ ଫିଟନେସ ଟେଷ୍ଟ ହୋଇଥିଲା । ୨୯ ରୁ ନଭେମ୍ବର ୮ ଯାଏଁ ସେମାନଙ୍କ ମେଡିକାଲ ଟେଷ୍ଟ କରାଯିବ । ଏହି ପରୀକ୍ଷାରେ ଯେଉଁ ପ୍ରାର୍ଥୀମାନେ ଉତ୍ତୀର୍ଣ୍ଣ ହେବେ, ଡିସେମ୍ବରରେ ସେମାନଙ୍କ ନାମ ପ୍ରକାଶ ପାଇବ । ୩୦ ଡିସେମ୍ବରରୁ ସେମାନଙ୍କ ଟ୍ରେନିଂ ଆରମ୍ଭ ହେବା ନେଇ ଭାରତୀୟ ବାୟୁସେନା ପକ୍ଷରୁ ବିବୃତ୍ତିରେ ପ୍ରକାଶ ପାଇଥିଲା।

କରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ପାଇଁ ସେନାରେ ନିଯୁକ୍ତି ବନ୍ଦ ରହିଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍ନିପଥ ଯୋଜନା ଘୋଷଣା କରାଯାଇଛି । ଅଗ୍ନିପଥ ଯୋଜନାରେ ଅଗ୍ନିବୀର ଭାବେ ୪ ବର୍ଷ ପାଇଁ ସେନାରେ ସୁଯୋଗ ମିଳିବ । ସର୍ବ ଭାରତୀୟ ପ୍ରତିଭା ଆଧାରରେ ନିଯୁକ୍ତ ହେବ । ଆକର୍ଷଣୀୟ ମାସିକ ବେତନ ଏବଂ ସେବା ନିଧି ପ୍ୟାକେଜ ରହିଛି । ୪ ବର୍ଷ ପରେ ପ୍ରତିଭା ଏବଂ ସାଂଗଠନିକ ଆବଶ୍ୟକତାକୁ ଆଧାର କରି ଏକ କେନ୍ଦ୍ରୀୟ, ସ୍ବଚ୍ଛ ବ୍ୟବସ୍ଥା ମାଧ୍ୟମରେ ନିୟମିତ କ୍ୟାଡରରେ ୨୫% ପର୍ଯ୍ୟନ୍ତ ଅଗ୍ନିବୀରଙ୍କ ଚୟନ କରାଯିବ । ଯୋଜନାକୁ ବିରୋଧ କରି ବିହାର ସମେତ ଦେଶର ଅନେକ ସ୍ଥାନରେ ପୋଡାଜଳା ହୋଇଥିବା ଦେଖିବାକୁ ମିିିଳିିଥିଲା । ବିହାରରୁ ମୁଣ୍ଡ ଟେକିଥିବା ବିକ୍ଷୋଭ ବହ୍ନି ଦେଶରେ ଅନେକ ରାଜ୍ୟକୁ ବ୍ୟାପିବାରେ ଲାଗିଥିଲା ।

Related Articles

Back to top button