
ଅପରେସନ ସିନ୍ଦୂରର ଆଉ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ଭାରତୀୟ ସେନା
ପାକିସ୍ତାନରେ ଭାରତୀୟ ସେନାର ତାଣ୍ଡବଲୀଳାକୁ ୮ ଦିନ ବିତି ସାରିଛି । ଏହିକ୍ରମରେ ଭାରତୀୟ ସେନା ଅପରେସନ ସିନ୍ଦୂରର ଆଉ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଭାରତୀୟ ଯବାନ ଆତଙ୍କୀ ଶିବିରକୁ ଧ୍ୱଂସ କରୁଥିବା ଦେଖିବାକୁ ମିଳିଛି । ଭିଡିଓ ସେୟାର କରି ଭାରତୀୟସ ସେନା ଲେଖିଛନ୍ତି -ପ୍ଲାନିଂ, ଟ୍ରେନିଂ ଓ ଆକ୍ସନ । ନ୍ୟାୟ ହୋଇଛି । ସେନା କହିଛି ଅପରେସନ ସିନ୍ଦୂର ପାକିସ୍ତାନ ପାଇଁ ସେହି ଶିକ୍ଷା ଥିଲା, ଯାହା ଦଶନ୍ଧି ଧରି ସେ ମନେ ରଖିବ ।ସେନା ନିଜ ଭିଡିଓରେ କହିଛି ଯେ, ଏହାର ଆରମ୍ଭ ପହଲଗାମ ଆତଙ୍କୀ ହମଲାରୁ ହୋଇଥିଲା । କ୍ରୋଧ ନୁହେଁ ଲାଭା ଉଦଗୀରଣ ଥିଲା । ମନରେ କେବଳ ଗୋଟିଏ କଥା ଥିଲା-ଏଥର ଏମିତି ଶିକ୍ଷା ଦେବୁ ପାକିସ୍ତାନର ପିଢି ମନେ ରଖିବେ । ଏହା ପ୍ରତିଶୋଧର ଭାବନା ନୁହେଁ, ଏହା ନ୍ୟାୟ ଥିଲା । ମେ ୯ ତାରିଖ ରାତି ପ୍ରାୟ ୯ଟାରେ ଶତ୍ରୁର ଯେଉଁ ସବୁ ପୋଷ୍ଟ ଅସ୍ତ୍ରବିରତିର ଉଲ୍ଲଂଘନ କରିଥିଲା, ସେ ସବୁ ପୋଷ୍ଟକୁ ଭାରତୀୟସ ସେନା ମାଟିରେ ମିଶାଇ ଦେଇଛନ୍ତି । ଅପରେସନ ସିନ୍ଦୂର କେବଳ ଏକ କାର୍ଯ୍ୟାନୁଷ୍ଠାନ ନୁହେଁ, ପାକିସ୍ତାନ ପାଇଁ ଏକ ଶିକ୍ଷା ଥିଲା, ଯାହା ସେ ଦଶନ୍ଧି ଧରି ଶିଖି ନ ଥିଲା ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ ସେନା ମେ ୬-୭ ରାତିରେ ଅପରେସନ୍ ସିନ୍ଦୂର କରିଥିଲା। ଏହି ଅପରେସନରେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇ ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଥିଲା। ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଅପରେସନ ସିନ୍ଦୂର ପରେ, ପାକିସ୍ତାନ ନିରନ୍ତର ଡ୍ରୋନ୍ ଏବଂ ମିସାଇଲ୍ ସହିତ ଭାରତୀୟ ସହରଗୁଡ଼ିକ ଉପରେ ଆକ୍ରମଣ କରିଥିଲା, ଯାହାର ଭାରତୀୟ ସେନା ଉପଯୁକ୍ତ ଜବାବ ଦେଇଥିଲେ । ପାକିସ୍ତାନର ଅସ୍ତ୍ରବିରତି ପାଇଁ ନେହୁରା ହେବା ପରେ ମେ ୧୦ ସନ୍ଧ୍ୟାରେ ଦେଶ ମଧ୍ୟରେ ଏକ ଅସ୍ତ୍ରବିରତି ଚୁକ୍ତିନାମା ହୋଇଥିଲା। ସେତେବେଳକୁ ଭାରତୀୟ ସେନା ପାକିସ୍ତାନକୁ ବହୁତ କ୍ଷତି ପହଞ୍ଚାଇ ସାରିଥିଲା। ଭାରତୀୟ ସେନା ପାକିସ୍ତାନର ୧୧ଟି ବାୟୁସେନା ଘାଟିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲେ । କେବଳ ଏତିକି ନୁହେଁ ଭାରତ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରି ପାକିସ୍ତାନ ଉପରେ ୱାଟର ଷ୍ଟ୍ରାଇକ ଜାରି ରଖିଛି ।