ବଦଳିବ ଭାରତୀୟ ନୌସେନାର ଧ୍ୱଜ

ନୂଆଦିଲ୍ଲୀ: ଆଗାମୀ ସେପ୍ଟେମ୍ବର ୨ ତାରିଖ ଭାରତୀୟ ନୌସେନା ଲାଗି ଏକ ସ୍ମରଣୀୟ ଦିନ ହୋଇ ରହିବ। ଏହି ଦିନ ନୌସେନାକୁ ବିମାନବାହୀ ଯୁଦ୍ଧପୋତ ଆଇଏନଏସ୍‌ ବିକ୍ରାନ୍ତ ମିଳିବାକୁ ଥିବା ବେଳେ ନୌସେନାକୁ ନୂଆ ଧ୍ୱଜ ମଧ୍ୟ  ପ୍ରଦାନ କରାଯିବ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ଶୁକ୍ରବାର ନୌସେନା ଲାଗି ନୂଆ ଧ୍ୱଜ ଜାରି କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନୂଆ ନୌସେନା ପତାକା ଉପନିବେସୀୟ ଇତିହାସରୁ ଦୂରରେ ସମୃଦ୍ଧ ଭାରତୀୟ ସମୁଦ୍ର ଐତିହ୍ୟ ଅନୁରୂପ ହେବ ବୋଲି କୁହାଯାଇଛି।

ବିଶ୍ୱର ପ୍ରତ୍ୟେକ ଦେଶର ନୌସେନା ପତାକା ଭିନ୍ନ ଭିନ୍ନ । ଏହି ପତାକା ନୌସେନା ଯୁଦ୍ଧପୋତ ସମେତ ଗ୍ରାଉଣ୍ଡ ଷ୍ଟେସନ, ବିମାନ ବନ୍ଦର ସମେତ ସବୁ ନୌସେନା ପ୍ରତିଷ୍ଠାନ ଉପରେ ଉଡା ଯାଇଥାଏ। ଭାରତୀୟ ନୌସେନାର ବର୍ତ୍ତମାନ ଧ୍ୱଜା ଶ୍ୱେତ ରଙ୍ଗର ଆଧାର ଉପରେ ଲାଲ ରଙ୍ଗର କ୍ରସ୍‌ ଚିହ୍ନ ରହିଛି। ପତାକାର ବାମ ପଟ ଉପର କୋଣରେ ଜାତୀୟ ପତାକା ଚିହ୍ନିତ ଥିବା ବେଳେ କ୍ରସ ଚିହ୍ନ ମଝିରେ ଅଶୋକ ସ୍ତମ୍ବ ରହିଛି। ଏବେ ଏହି ଧ୍ୱଜକୁ ବଦଳାଇ ଦିଆଯିବ।

ଭାରତୀୟ ନୌସେନା ଇତିହାସକୁ ଦେଖିଲେ ୨ ଅକ୍ଟୋବର ୧୯୩୪ରେ ନୌସେନାକୁ ରୟାଲ ଇଣ୍ଡିଆନ ନେଭି ନାମକରଣ କରାଯାଇଥିଲା। ଭାରତ ବିଭାଜନ ସହ ଭାରତ ଓ ପାକିସ୍ତାନ ନେଭିରେ ବାଣ୍ଟି ହେବା ଯୋଗୁ ରୟାଲ ଇଣ୍ଡିଆନ ନେଭି ଓ ରୟାଲ ପାକିସ୍ତାନ ନେଭି ନାମରେ ଚିହ୍ନିତ ହୋଇଥିଲା। ତେବେ ୨୬ ଜାନୁୟାରୀ ୧୯୫୦ରେ ଏଥିରୁ ରୟାଲକୁ ବାଦ ଦିଆଯାଇ ଇଣ୍ଡିଆନ ନେଭି ନାମକରଣ କରାଯାଇଥିଲା। ସ୍ୱାଧୀନତା ପୂର୍ବରୁ ନୌସେନା ପତାକାର ଉପର କୋଣରେ ବ୍ରିଟିଶ ପତାକା ଚିହ୍ନିତ ଥିଲା। ତେବେ ପରେ ଏହାକୁ ବଦଳାଇ ଏଥିରେ ଜାତୀୟ ପତାକା ଲଗା ଯାଇଥିଲା।

ମିଳୁଥିବା ସୂଚନା ଅନୁସାରେ ନୌସେନାର ନୂଆ ପତାକାରୁ କ୍ରସ ଚିହ୍ନକୁ ହଟାଇ ଦିଆଯିବ। ପତାକାରେ ଥିବା କ୍ରସ୍‌ ସେଣ୍ଟ ଜର୍ଜଙ୍କ ପ୍ରତୀକ। ଏଣୁ ୨୦୦୧ରେ ତତ୍କାଳୀନ ବାଜପେୟୀ ସରକାରରେ ନୌସେନାର ପତାକାରେ ପରିବର୍ତ୍ତନ  କରିଥିଲେ।  ଏଥିରେ ପତାକାରୁ କ୍ରସ ହଟାଇ ସେହି ସ୍ଥାନରେ ନୌସେନାର ଏଙ୍କରକୁ ସ୍ଥାନୀତ କରାଯାଇଥିଲା। ତେବେ ୨୦୦୪ ମସିହାରେ ପୁଣି ପତାକାରେ ଲାଲ କ୍ରସ ଚିହ୍ନକୁ ଯୋଡାଯିବା ସହ ଏଥିରେ ଅଶୋକ ସ୍ତମ୍ବ ଲଗାଯାଇଥିଲା, ଯାହା ଏପର୍ଯ୍ୟନ୍ତ ପ୍ରଚଳିତ ଅଛି।

Related Articles

Back to top button