ଆରବ ସାଗରରେ ଜରୁରୀ ଅବତରଣ କଲା ଭାରତୀୟ ନୌସେନା ହେଲିକପ୍ଟର୍
ମୁମ୍ବାଇ: ବୈଷୟିକ ତ୍ରୁଟି ଦେଖା ଦେବାରୁ ଆଜି ସକାଳେ ମୁମ୍ବାଇ ଉପକୂଳବର୍ତ୍ତୀ ଆରବ ସାଗର ଜଳରାଶିରେ ଭାରତୀୟ ନୌସେନାର ‘ଆଡ୍ଭାନ୍ସ୍ଡ୍ ଲାଇଟ୍ ହେଲିକପ୍ଟର୍’ ‘ଧ୍ରୁବ’ ଜରୁରୀ ଅବତରଣ କରିଥିବା ‘ଏଏନ୍ଆଇ’ ରିପୋର୍ଟ କରିଛି।
ନିୟମିତ ସ୍ବଳ୍ପକାଳୀନ ଉଡ଼ାଣରେ ଯାଇଥିବା ଏହି ହେଲିକପ୍ଟର୍ରେ ଥିବା ୩ଜଣ କ୍ରୁ’ମେମ୍ବର୍ଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ନୌସେନାର ପାଟ୍ରୋଲ୍ କ୍ରାଫ୍ଟ୍ ତୁରନ୍ତ ତଲାସ ଓ ଉଦ୍ଧାର ଅଭିଯାନ ଚଳାଇ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି ବୋଲି ନୌସେନାର ଜଣେ ମୁଖପାତ୍ର କହିଛନ୍ତି।
ଟୁଇଟ୍ କରି ସେ କହିଛନ୍ତି: ନିୟମିତ ସ୍ବଳ୍ପକାଳୀନ ଉଡ଼ାଣରେ ଯାଇଥିବା ଭାରତୀୟ ନୌସେନାର ଗୋଟାଏ ‘ଆଡ୍ଭାନ୍ସ୍ଡ୍ ଲାଇଟ୍ ହେଲିକପ୍ଟର୍’ ଉପକୂଳ ପାଖାପାଖି ଜଳରାଶିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତୁରନ୍ତ ତିନୋଟି ନୌସେନା ପାଟ୍ରୋଲ୍ କ୍ରାଫ୍ଟ୍ ତଲାସ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଉକ୍ତ ହେଲିକପ୍ଟର୍ରେ ଥିବା ୩ଜଣ କ୍ରୁ’ ସଦସ୍ୟଙ୍କୁ ନିରାପଦରେ ଉଦ୍ଧାର କରିଛି। ଘଟଣା ସଂକ୍ରାନ୍ତରେ ତଦନ୍ତ ପାଇଁ ଆଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ‘ଆଡ୍ଭାନ୍ସ୍ଡ୍ ଲାଇଟ୍ ହେଲିକପ୍ଟର୍’ ‘ଧ୍ରୁବ’ ହେଉଛି ଏକାଧିକ କ୍ଷେତ୍ର ଓ ଏକାଧିକ ଅଭିଯାନରେ ଲାଗିପାରୁଥିବା ଯୁଗ୍ମ ଇଞ୍ଜିନ୍ବିଶିଷ୍ଟ ୫.୫ ଟନ୍ ଓଜନର ଅତ୍ୟାଧୁନିକ ହେଲିକପ୍ଟର୍।