ଦୀପାବଳୀ ଓ ଛଟ୍‌ ପର୍ବରେ ଚାଲିବ ୩୨ଟି ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ: ପାର୍ବଣ ଋତୁରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଯାତ୍ରୀମାନେ ଯାତାୟାତରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ଭାରତୀୟ ରେଲଓ୍ବେ ମଙ୍ଗଳବାର ୩୨ଟି ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନେଇଛି। ତେବେ ପାର୍ବଣ ଋତୁକୁ ଦେଖି ରେଲଓ୍ବେ ଦ୍ୱାରା ସମୁଦାୟ ୨୧୧ଟି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରୁଛି, ଯାହା ୨୫୬୧ଯାତ୍ରା ଶେଷ କରିବ। ଏହା ପୂର୍ବରୁ ୧୭୯ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଏହି ଟ୍ରେନ୍‌ଗୁଡିକ ରେଳ ମାର୍ଗରେ ଦେଶର ପ୍ରମୁଖ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବ।

ସୂଚନାଯୋଗ୍ୟ, ଆଗାମୀ କିଛି ଦିନରେ ଦୀପାବଳୀ ଓ ଛଟ୍‌ରେ ଦିଲ୍ଲୀରୁ ଲକ୍ଷ ଲକ୍ଷ ଲୋକ ଟ୍ରେନ ଯୋଗେ ଯାତ୍ରା କରିବେ। ଏଭଳି ପରିସ୍ଥିତିରେ ଉତ୍ସବକୁ ଦୃଷ୍ଟିରେ ରଖି ରେଲଓ୍ବେ ପକ୍ଷରୁ ୧୫-୨୦ଲକ୍ଷ ଅତିରିକ୍ତ ସିଟ୍‌ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିସହ ଯାତ୍ରୀମାନଙ୍କ ସୁବିଧା ପାଇଁ ସୋମବାରଠାରୁ ରେଳ ଷ୍ଟେସନଗୁଡ଼ିକରେ ଟେଣ୍ଟ ଲଗାଇବା ଆରମ୍ଭ ହୋଇଛି। ଷ୍ଟେସନରେ ଭିଡ଼କୁ ଦୃଷ୍ଟିରେ ରଖି ରେଲଓ୍ବେ ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ଟେଣ୍ଟ ଲଗାଇଛି। ଏତଦ୍‌ବ୍ୟତୀତ ଶୁକ୍ରବାର ପର୍ଯ୍ୟନ୍ତ ଯାତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର, ଶୌଚାଳୟ, ବସିବା ସ୍ଥାନ ଓ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯିବ। ଏଥିସହ ଯାତ୍ରୀଙ୍କ ଟିକଟ ସଂଗ୍ରହ ପାଇଁ କାଉଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଥିବା ସୂଚନା ରହିଛି।

Related Articles

Back to top button