ଇସ୍ରୋକୁ ଆଉ ଏକ ସଫଳତା: ସାଟେଲାଇଟ ନାଭିଗେସନ ପାଇଁ ଉଦ୍ଦିଷ୍ଟ ଏନଭିଏସ-୦୨ର ସଫଳ ଉତକ୍ଷେପଣ
ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ସଫଳତା ତାଲିକାରେ ଆଉ ଏକ ସଫଳତା ଯୋଡ଼ି ହୋଇଯାଇଛି । ବୁଧବାର ଇସ୍ରୋ ସାଟେଲାଇଟ ନାଭିଗେସନ ପାଇଁ ଉଦ୍ଦିଷ୍ଟ ଏନଭିଏସ-୦୨ର ସଫଳ ଉତକ୍ଷେପଣ କରି ଆଉ ଏକ ଉପଲବ୍ଧି ହାସଲ କରିଛି । ଇସ୍ରୋ ଏହି ଉତକ୍ଷେପଣ ସହିତ ଶତକ ପୂରା କରିଛି । ଏହା ଇସ୍ରୋ ଶହେତମ ଉତକ୍ଷେପଣ ଥିଲା । ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ବୁଧବାର ସକାଳ ୬ଟା ୨୩ରେ ଏନଭିଏସ-୦୨ର ସଫଳ ଉତକ୍ଷେପଣ କରାଯାଇଛି । ଜିଏସଏଲଭି ରକେଟ ସାହାଯ୍ୟରେ ୨୨୫୦ କିଲୋଗ୍ରାମର ସାଟେଲାଇଟ ପ୍ରକ୍ଷେପଣ ହୋଇଛି । ଯାହାକି ଇସ୍ରୋର ଶତକ ବୋଲି କୁହାଯାଉଛି ।
ନାଭିକ ସିଷ୍ଟମ ପାଇଁ ଏହି ସାଟେଲାଇଟକୁ ମହାକାଶରେ ଅବସ୍ଥାପିତ କରାଯିବ। ନାଭିକ ହେଉଛି ଭାରତର ରିଜିଓନାଲ ନାଭିଗେସନ ସାଟେଲାଟ୍ ସିଷ୍ଟମ । ଏହା ଦ୍ୱାରା ଭାରତ ନିଜସ୍ୱ ସ୍ୱଦେଶୀ ନାଭିଗେସନ୍ ସିଷ୍ଟମ୍ ପ୍ରତିଷ୍ଠା ପାଇଁ ରଖିଥିବା ଯୋଜନା ସଫଳ ହେବାର ଆଶା କରାଯାଉଛି । ବର୍ତ୍ତମାନ ସବୁ ମୋବାଇଲରେ ନାଭିଗସେନ୍ ଓ ଲୋକେସନ୍ ଟ୍ରାକିଂ ପାଇଁ ଆମେରିକୀୟ ଟେକନୋଲୋଜି ଜିପିଏସର (GPS) ଉପରେ ନିର୍ଭର କରୁଛି ଭାରତ । ତେବେ ଭାରତ ନିଜସ୍ୱ ନାଭିଗେସନ୍ ସିଷ୍ଟମ୍ ‘ନାଭିକ୍’ ପ୍ରତିଷ୍ଠା ପାଇଁ ଯୋଜନା ରଖିଛି । ତେଣୁ ଏନଭିଏସ-୦୨ ମିଶନ୍ ସଫଳ ହେଲେ ଭାରତକୁ ଆଉ ଏକ ସଫଳତା ମିଳିବ । ଇସ୍ରୋର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀଯୁକ୍ତ ମାଝୀ ସୋସିଆଲ ମିଡ଼ିଆ ଏକ୍ସରେ ଇସ୍ରୋକୁ ଶୁଭେଚ୍ଛା ଜଣାଇଚନ୍ତି ।