ଇସ୍ରୋର PSLV C-59 ରକେଟ୍ ଗୁରୁବାର ଐତିହାସିକ ଉଡ଼ାଣ ଭରିଛି ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ମିଳିଛି ବଡ଼ ସଫଳତା । ଇସ୍ରୋର PSLV C-59 ରକେଟ୍ ଗୁରୁବାର ଐତିହାସିକ ଉଡ଼ାଣ ଭରିଛି । ପିଏସଏଲଭି ରକେଟ୍ ୟୁରୋପର ପ୍ରୋବା-୩କୁ ସଫଳତାର ସହ ପୃଥିବୀ କକ୍ଷପଥରେ ପହଞ୍ଚାଇ ଦେଇଛି । ଗୁରୁବାର ଅପରାହ୍ନ ୪ଟା ୪ମିନିଟ୍ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉତକ୍ଷେପଣ କରାଯାଇଥିଲା। ଏହି ଉତକ୍ଷେପଣ ବୁଧବାର ହେବାର ଥିଲା । କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଗୁରୁବାର ପ୍ରୋବା-୩ର ଉତ୍କ୍ଷେପଣ ଲାଗି ସମୟ ଧାର୍ଯ୍ୟ କରିଥିଲା ଇସ୍ରୋ ।
ପ୍ରୋବା-୩ ହେଉଛି ୟୁରୋପୀୟ ମହାକାଶ ଏଜେନ୍ସି ଇଏସଏର ସୌର ଅଭିଯାନ, ଯାହା ସୂର୍ୟ୍ୟର ରହସ୍ୟ ଅନୁସନ୍ଧାନ କରିବ । ଏହା ପୂର୍ବରୁ ୨୦୦୧ରେ ଇସ୍ରୋ ପକ୍ଷରୁ ଏହି ସିରିଜର ପ୍ରଥମ ସୌର ଅଭିଯାନ ଆରମ୍ଭ କରାଯାଇଥିଲା। ଇଏସଏର ଏହି ସ୍ପେଶକ୍ରାଫ୍ଟ ପୃଥିବୀ କକ୍ଷରେ ପହଞ୍ଚିବା ପରେ ଖୁସିରେ ଝୁମି ଉଠିଛି ବେଙ୍ଗାଲୁରୁରେ ଥିବା ଇସ୍ରୋ କାର୍ୟ୍ୟାଳୟ । ଉତ୍କ୍ଷେପଣ କାର୍ୟ୍ୟକ୍ରମରେ ସାମିଲ ଥିବା ସବୁ ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇସ୍ରୋର ଅଧ୍ୟକ୍ଷ ଏସ୍. ସୋମନାଥ । ଇସ୍ରୋ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ, ‘ୟୁରୋପୀୟ ସ୍ପେସ୍ ଏଜେନ୍ସିର ସାଟେଲାଇଟ୍କୁ ଧାର୍ୟ୍ୟ କକ୍ଷରେ ପହଞ୍ଚାଇ ଦିଆଯାଇଛି ।’ ଏହି ମିଶନ ଭାରତ ଏବଂ ୟୁରୋପ ମିଳିତ ଭାବେ କରିଛନ୍ତି । ସୂଚନାଯୋଗ୍ୟ, ସୂର୍ୟ୍ୟଙ୍କ ବିଷୟରେ ଅଧିକ ଅଧ୍ୟୟନ କରିବା ଲାଗି ପ୍ରୋବା-୩ ମିଶନ ଆରମ୍ଭ ହୋଇଛି । ଏହି ମିଶନରେ ଦୁଇଟି ସାଟେଲାଇଟ୍ ପୃଥିବୀର କକ୍ଷକୁ ଯାଇଛି । ସୂର୍ୟ୍ୟଙ୍କ ବାହ୍ୟ ବାତାବରଣ ସଂପର୍କରେ ଅଧିକ ତଥ୍ୟ ଯୋଗାଡ଼ କରିବ ଏହି ସାଟେଲାଇଟ୍ । ଏହା ଦ୍ବାରା ସେପ୍ଟେମ୍ବର ୨୦୨୩ରେ ଇସ୍ରୋ ଲଞ୍ଚ କରିଥିବା ଆଦିତ୍ୟ ଏଲ-୧ ମିଶନ୍କୁ ମଧ୍ୟ ସହାୟତା ମିଳିପାରିବ ବୋଲି କୁହାଯାଉଛି ।