ମହାକାଶରେ ପାଳଙ୍ଗ ଶାଗ ଚାଷ କରାଯିବ
ଆସନ୍ତା ୩୦ ତାରିଖରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଚଳିତ ବର୍ଷର ଶେଷ ଅଭିଯାନ ଉତ୍କ୍ଷେପଣ କରିବ। ଏହାର ନାମ ସ୍ପେସ୍ ଡକିଂ ଏକ୍ସପିରିମେଣ୍ଟ (ସ୍ପାଡେକ୍ସ) ରଖାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତି ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ରାତି ୯ଟା୫୮ରେ ଏହି ଅଭିଯାନ ଆରମ୍ଭ ହେବ। ମହାକାଶରେ ଯାନକୁ ଡକ୍ ଏବଂ ଅନ୍ଡକ୍ କରୁଥିବା ଜ୍ଞାନକୌଶଳର ବିକାଶ ଏବଂ ପ୍ରଦର୍ଶନ ଏହି ଉତ୍କ୍ଷେପଣର ଉଦ୍ଦେଶ୍ୟ। ଚନ୍ଦ୍ର ଅଭିଯାନ, ଚନ୍ଦ୍ରରୁ ନମୁନା ସଂଗ୍ରହ ଏବଂ ମହାକାଶ ଷ୍ଟେସନ ପ୍ରସ୍ତୁତିରେ ଏହା ଗୁରୁତ୍ବପୂର୍ଣ୍ଣ। ଏହା ସଫଳ ହେଲେ ରୁଷ, ଆମେରିକା ଏବଂ ଚୀନ୍ ପରେ ଭାରତ ଚତୁର୍ଥ ରାଷ୍ଟ୍ର ପାଲଟିବ। ସୂଚନା ଅନୁଯାୟୀ ସ୍ପାଡେକ୍ସ ଅଭିଯାନରେ ପିଏସ୍ଏଲ୍ଭି -ସି୬୦ ରକେଟ ନିଜ ସହିତ ୨୦୦ କେଜିର ୨ଟି ଯାନ ନେଇ ମହାକାଶକୁ ଯିବ। ଏହାର ନାମ ଚେଜର ଏବଂ ଟାର୍ଗେଟ ରଖାଯାଇଛି। ଏହା ମାଧ୍ୟମରେ ଗବେଷଣା ପାଇଁ ୨୪ଟି ପେଲୋଡ ପଠାଯିବ। ଏଥିରେ ଏମିଟି ୟୁନିଭର୍ସିଟିର ଏମିଟି ପ୍ଲାଣ୍ଟ ଏକ୍ସପିରିମେଣ୍ଟାଲ ମଡ୍ୟୁଲୋ ଇନ୍ ସ୍ପେସ (ଏପିଇଏମଏସ) ପେଲୋଡ ସାମିଲ ରହିଛି। ଏହା ମାଧ୍ୟମରେ ମହାକାଶରେ ପାଳଙ୍ଗ ଶାଗ ଚାଷ କରାଯିବ। ଏହା ସହିତ ଅନ୍ୟାନ୍ୟ ମଞ୍ଜି ମଧ୍ୟ ପଠାଯାଇଛି। ମହାକାଶରେ ଏଥିରୁ ଚାରା କେମିତି ଉଠୁଛି ତାହା ପରୀକ୍ଷଣ କରାଯିବ। ଏହାକୁ ଏକ କ୍ୟାମେରା ରେକର୍ଡ କରିବ।