ରୋନାଲ୍ଡୋଙ୍କ ସାକ୍ଷାତକାରକୁ ନେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଲା ମାଞ୍ଚେଷ୍ଟର ୟୁନାଇଟେଡ୍

ନୂଆଦିଲ୍ଲୀ: କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସାକ୍ଷାତକାରକୁ ନେଇ ବିବାଦ ଥମିବାର ନାଁ ଧରୁ ନାହିଁ । ଇଣ୍ଟରନେଟ ୟୁଜର୍ସ ଏବେ ଦୁଇ ଭାଗ ହୋଇଛନ୍ତି । ଏହାରି ଭିତରେ ଶୁକ୍ରବାର ରୋନାଲ୍ଡୋଙ୍କ ବର୍ତ୍ତମାନର ଫୁଟବଲ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍ ବୟାନ ଜାରି କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି । ନିକଟରେ ବ୍ରିଟିଶ ସାମ୍ୱାଦିକ ପାଇର୍ସ ମୋରଗନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ରୋନାଲ୍ଡୋ ନିଜ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍ ଏବଂ ଏହାର ମ୍ୟାନେଜରଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଥିଲେ । ଏହାପରେ କ୍ଲବର ଭବିଷ୍ୟତର କୌଣସି କାର୍ଯ୍ୟକ୍ରମରେ ରୋନାଲ୍ଡୋଙ୍କ ସାମିଲ ହେବା ଉପରେ ଆଶଙ୍କା ସୃଷ୍ଟି ହୋଇଛି ।

ଯଦିଓ ବର୍ତ୍ତମାନ ସୁଦ୍ଧା ଏହି ଷ୍ଟାର ଷ୍ଟ୍ରାଇକରଙ୍କ ବିରୋଧରେ ଅନୁଷ୍ଠାନିକ ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, କିନ୍ତୁ ଖୁବ ଶୀଘ୍ର ଆକ୍ସନ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । କ୍ଲବ ଆକ୍ସନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି । ଯାହା ଦୁଇଙ୍କ ମଧ୍ୟରେ ତିକ୍ତତାକୁ ଆହୁରି ଅଧିକ କରିବ ।

କ୍ଲବ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି, କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସାକ୍ଷାତାକାର ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ । ଏହି ମାମଲା କୌଣସି ନିଷ୍କର୍ସରେ ନପହଞ୍ଚିବା ଯାଏଁ ଆଉ ବୟାନ ଜାରି କରିବ ନାହିଁ ବୋଲି କ୍ଲବ କହିଛି ।

ଉଲ୍ଲେଖଯୋଗ୍ୟ ଯେ, ଏହି ସାକ୍ଷାତକାରରେ ଡୋନାଲ୍ଡୋ ଅଭିଯୋଗ ଆଣିଥିଲେ ଯେ କ୍ଲବର ନୂଆ ମ୍ୟାନେଜର ଏରିକ ଟେନ ହାଗଙ୍କ ସହ ଅନ୍ୟ ଅଧିକାରୀ ନୂଆ ସିଜିନ ଆରମ୍ଭ ପୂର୍ବରୁ ତାଙ୍କୁ କ୍ଲବରୁ ବାହାର କରିବାକୁ ଚାହୁଁଥିଲେ । ଏହାସହ କ୍ଲବ ମାଲିକ, ଗ୍ଲେଜର ପରିବାର ଉପରେ ଅଭିଯୋଗ ଆଣି କ୍ଲବ ପାଇଁ ସେମାନେ ଚିନ୍ତିତ ନଥିବା କହିଥିଲେ । ସେମାନେ କେବଳ ଏହାକୁ ଆୟର ମାଧ୍ୟମ ବୋଲି ଭାବୁଛନ୍ତି ।

ମାଞ୍ଚେଷ୍ଟର ୟୁନାଇଟେଡ୍ ସହ ରୋନାଲ୍ଡୋଙ୍କ ପୁରୁଣା ସମ୍ପର୍କ ରହିଛି । ୨୦୦୩ ମସିହାରେ ୧୮ ବର୍ଷ ବୟସରେ ରୋନାଲ୍ଡୋ ଏହି କ୍ଲବରେ ସାମିଲ ହୋଇଥିଲେ । ଏହିଠାରୁ ହିଁ ତାଙ୍କୁ ପରିଚୟ ମିଳିଥିଲା । ଏହାପରେ ୨୦୦୯ ମସିହାରେ ରିୟାଲ ମାଡ୍ରିଡ୍ କ୍ଲବରେ ସାମିଲ ହୋଇଥିଲେ । ୨୦୨୧ରେ ପୁଣି ଥରେ ସେ ଏହି କ୍ଲବରେ ଯୋଗ ଦେଇଥିଲେ । ରୋନାଲ୍ଡୋଙ୍କୁ ପ୍ରତି ସପ୍ତାହରେ ୪.୮୭ କୋଟି ଦେଉଛି ମାଞ୍ଚେଷ୍ଟର ୟୁନାଇଟେଡ୍ ।

Related Articles

Back to top button