
ପିଏଚଡି ପାଠ୍ୟକ୍ରମରେ ରିସର୍ଚ୍ଚ ପେପର ପ୍ରକାଶିତ କରିବା ଜରୁରୀ ନୁହେଁ
ନୂଆଦିଲ୍ଲୀ: ପିଏଚଡି କରୁଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଖୁସି ଖବର ଆସିଛି। ଏବେ ସେମାନଙ୍କ ଥେସିସ୍ର ରିସର୍ଚ୍ଚ ପେପର ପ୍ରକାଶ କରିବା ବାଧ୍ୟତାମୂଳକ ହେବ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ପିଏଚଡି ଶିକ୍ଷାର୍ଥୀମାନଙ୍କ ପାଇଁ ଯେକୌଣସି ପତ୍ରିକାରେ ଥେସିସ୍ ପ୍ରକାଶ ପାଇବା ବାଧ୍ୟତାମୂଳକ ଥିଲା। କିନ୍ତୁ ଆଗାମୀ ଶିକ୍ଷାବର୍ଷଠାରୁ ଆଡମିଶନ ନେଉଥିବା ଶିକ୍ଷାର୍ଥୀମାନେ ନୂତନ ନିୟମ ଅନୁଯାୟୀ ରିହାତି ପାଇବେ। ଏହା ବ୍ୟତୀତ ଶିକ୍ଷାର୍ଥୀମାନେ ସେମାନଙ୍କର ରୀସର୍ଚ୍ଚକୁ ପେଟେଣ୍ଟ ମଧ୍ୟ କରି ପାରିବେ।
ନ୍ୟାଶନାଲ ପଲିସି ଅନ ଏଜୁକେସନ (ଏନଇପି) ୨୦୨୦ ଅଧୀନରେ, ୟୁଜିସି ଏକ ଚାରି ବର୍ଷର ଡିଗ୍ରୀ ପ୍ରୋଗ୍ରାମକୁ ଅନୁମୋଦନ କରିଛି। ଏହା ଅନ୍ତର୍ଗତ, ବର୍ତ୍ତମାନ ଚାରି ବର୍ଷର ସ୍ନାତକ ଡିଗ୍ରୀ ପ୍ରୋଗ୍ରାମରେ ୭.୫ ସିଜିପିଏ ରଖିଥିବା ଶିକ୍ଷାର୍ଥୀମାନେ ସିଧାସଳଖ ପିଏଚଡିରେ ଆଡମିଶନ କରିପାରିବେ। ଏକାଡେମିକ ଅଧିବେଶନ ୨୦୨୨-୨୩ ରୁ ଏହି ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟ, ସିଏସଆଇଆର୍, ଆଇସିଏମଆର୍, ଆଇସିଏଆର୍ ଇତ୍ୟାଦିରେ ପିଏଚଡି ଆଡମିଶନ କରାଯିବ। ପିଏଚଡି ଆଡମିଶନ ପାଇଁ ୭୦ ମାର୍କର ଲିଖିତ ପରୀକ୍ଷା ଏବଂ ୩୦ର ଏକ ସାକ୍ଷାତକାର ହେବ। ପିଏଚଡି ପ୍ରୋଗ୍ରାମରେ ସର୍ବନିମ୍ନ ୧୨ କ୍ରେଡିଟ ଏବଂ ସର୍ବାଧିକ ୧୬କ୍ରେଡିଟ ରହିବା ଜରୁରୀ ।
ବିଶ୍ୱବିଦ୍ୟାଳୟରେ ମୋଟ ପିଏଚଡି ସିଟ ମଧ୍ୟରୁ ୬୦ ପ୍ରତିଶତ ଏନଇଟି କିମ୍ବା ଜେଆରଏଫ୍ ଯୋଗ୍ୟ ଶିକ୍ଷାର୍ଥୀମାନଙ୍କ ପାଇଁ ସଂରକ୍ଷିତ ରହିବ। ଛଅ ବର୍ଷ ମଧ୍ୟରେ ପିଏଚଡି ଶେଷ କରିବାକୁ ପଡିବ। ଦୁଇ ବର୍ଷରୁ ଅଧିକ ସମୟ ପାଇଁ କୌଣସି ଅନୁଷ୍ଠାନ ଅତିରିକ୍ତ ସମୟ ଅନୁମତି ଦେବ ନାହିଁ। ଏଥି ସହିତ, ମହିଳା ପ୍ରାର୍ଥୀ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଛଅ ବର୍ଷ ବ୍ୟତୀତ ଦୁଇ ବର୍ଷର ଅତିରିକ୍ତ ସମୟ ପ୍ରଦାନ କରାଯିବ। ମହିଳା ପ୍ରାର୍ଥୀ ମାତୃତ୍ୱ ଛୁଟିରେ, ପିଏଚଡି କାର୍ଯ୍ୟକାଳ ମଧ୍ୟରେ ଶିଶୁ ଯତ୍ନ ଛୁଟି ପାଇଁ ୨୪୦ ଦିନ ପାଇପାରିବେ। ଯେଉଁ ଶିକ୍ଷାର୍ଥୀମାନେ ଏମଫିଲ୍ ପ୍ରୋଗ୍ରାମରେ ସେମାନଙ୍କର ପାଠ୍ୟକ୍ରମ କାର୍ଯ୍ୟ ସମାପ୍ତ କରିଛନ୍ତି ସେମାନେ ଇଣ୍ଟିଗ୍ରେଟେଡ ଏମଫିଲ୍-ପିଏଚଡିରେ ଆଡମିଶନ କରିପାରିବେ ।