ଭାରତର ବିଦେଶ ନୀତି ଭାରତୀୟଙ୍କ ଉପରେ ନିର୍ଭର କରେ : ଏସ୍ ଜୟଶଙ୍କର
ଆମେରିକାରେ ଏବେ ନୂଆ ସରକାର । ଦ୍ବିତୀୟ ଥର ଲାଗି କ୍ଷମତା ଦଖଲ କରିଛନ୍ତି ଟ୍ରମ୍ପ । ନିର୍ବାଚନରେ ପ୍ରାର୍ଥୀ ହେବା ଦିନଠାରୁ ଆମେରିକା ରାଷ୍ଟ୍ରପତିଙ୍କ ନେଇ ଭାରି ଚର୍ଚ୍ଚା ଚାଲେ । କାରଣ କ୍ଷମତା ଦଖଲ କରିବା ପରେ ସେ କେଉଁ ରାଷ୍ଟ୍ର ସହ କେମିତି ସମ୍ପର୍କ ରଖିବେ ତାହା ଉପରେ ପୁରା ବିଶ୍ବର ନଜର ରହିଛି । ଖାସ କରି ଟ୍ରମ୍ପ-ମୋଦିଙ୍କ ସମ୍ପର୍କ ବିଷୟରେ ପୁରା ବିଶ୍ବ ଅବଗତ ଅଛି । ଏହାପରେ ବି ବର୍ତ୍ତମାନ ଟ୍ରମ୍ପ ଭାରତ ଲାଗି କେତେ ହିତକାରୀ ସେନେଇ ବଡ଼ ବୟାନ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର ।ଦିଲ୍ଲୀ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଜୟଶଙ୍କର । ଏହି ସମୟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଭାରତ ଲାଗି ଟ୍ରମ୍ପ କେତେ ଭଲ । ଏ ପ୍ରଶ୍ନର ଉତ୍ତର ସିଧାସିଧା ଦେଇଥିଲେ ଜୟଶଙ୍କର । କହିଥିଲେ, ମୁଁ ଗୋଟିଏ କଥା କହିବାକୁ ଚାହେଁ ଭାରତକୁ ଯେମିତି ପ୍ରଧାନମନ୍ତ୍ରୀ ଭଲପାଆନ୍ତି ଆମେରିକାକୁ ସେମିତି ଟ୍ରମ୍ପ ଭଲପାଆନ୍ତି । ସଜସଜ ମୁଁ ଆମେରିକା ଗସ୍ତରେ ଯାଇଥିଲି ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବକୁ । ସେଠାରେ ଆମକୁ ଉତ୍ତମ ବ୍ୟବହାର ଦେଖାଯାଇଥିଲା । ହଁ ଏହା ସତ ଯେ ଟ୍ରମ୍ପଙ୍କ ନୀତି ପୁରା ବିଶ୍ବରେ ପ୍ରଭାବ ପକାଇବ । ହେଲେ ଭାରତ ନିଜ ଦେଶ ଲାଗି ଯାହା ହିତକର ସେଇୟା ହିଁ କରେ । ତେଣୁ ଏଥିରେ କୌଣସି ପ୍ରକାର ଆଶ୍ଚର୍ଯ୍ୟ ହେବାର ନାହିଁ କି ଭାରତ କେବେ ବି କାହାର ଚାପରେ ଆସିବ ନାହିଁ ବୋଲି ରୋକଠୋକ କହିଛନ୍ତି ଜୟଶଙ୍କର ।
ବାଇଡେନ୍ ସରକାର ଗଲା, ଟ୍ରମ୍ପଙ୍କ ସରକାର ଆସିଲା । ସରକାରକୁ ଆସୁଆସୁ ଅନେକ ନୀତିରେ ସେ ପରିବର୍ତ୍ତନ ବି କଲେଣି । ଆଗାମୀ ଦିନରେ ବି କରିବେ । ଯେହେତୁ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା, ତେଣୁ ରାଷ୍ଟ୍ରପତି ଆପଣାଉଥିବା ନୀତି ପୁରା ବିଶ୍ବ ଉପରେ ପ୍ରଭାବ ପକାଇବ । କ୍ଷମତାକୁ ଆସୁ ଆସୁ ଚୀନ ଉପରେ ବାଣିଜ୍ୟିକ ଆମଦାନୀ ଶୁଳ୍କ ବଢାଇବା ହେଉ କି ପାକିସ୍ତାନକୁ ତାଲିବାଣୀ ଶରଣାର୍ଥୀ ସହାୟତା ବନ୍ଦ ହେଉ । ଏମିତି ଅନେକ ନିଷ୍ପତ୍ତି ପାଇଁ ଟ୍ରମ୍ପ ଏବେ ଚର୍ଚ୍ଚାରେ । ତେଣୁ ଆଗାମୀ ଦିନରେ ଭାରତ ପାଇଁ ସେ କି ପଦକ୍ଷେପ ନେଉଛନ୍ତି ତାହା ତ ସମୟ କହିବ । ହେଲେ ଜୟଶଙ୍କର ସ୍ପଷ୍ଟ କରିଛନ୍ତି, ଭାରତର ବିଦେଶ ନୀତି ଭାରତୀୟଙ୍କ ଉପରେ ନିର୍ଭର କରେ । ଅର୍ଥାତ୍ ଦେଶର ହିତ ଲାଗି ଯାହା ଠିକ୍ ତାହା ହିଁ ମୋଦି କରନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ମୋଦି-ଟ୍ରମ୍ପଙ୍କ ସମ୍ପର୍କ ଭଲ ଥିବାରୁ ଦୁଇଦେଶର ସମ୍ପର୍କ ବି ମଜବୁତ ହେବ ।
ସେପଟେ ମୋଦିଙ୍କୁ ନେଇ ବଡ଼ ବୟାନ ରଖିଛନ୍ତି ଜୟଶଙ୍କର । କହିଛନ୍ତି, ମୋଦି ଜୀ ମତେ ଆଗକୁ ବଢିବାରେ ଅନେକ ସାହାଯ୍ୟ କରିଛନ୍ତି । ମନ୍ତ୍ରୀ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କେବଳ ଗୋଟିଏ ସ୍ବପ୍ନ କେମିତି ଦେଶର ବିକାଶ ହେବ । ସେଇଥି ଲାଗି ମୋଦି ଦିନରାତି ପରିଶ୍ରମ କରୁଛନ୍ତି । ଯେଉଁମାନେ ଦେଶ ସେବାରେ ନିଜକୁ ସମର୍ଥି ଦେଇଛନ୍ତି ସେଠାରେ ବୈଦେଶିକ ଚାପ କାମ କରିବ ନାହିଁ ବୋଲି ପରୋକ୍ଷରେ ଜୟଶଙ୍କର କହିଛନ୍ତି । ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି, ଭାରତ ଉପରେ କାମ କରିବ ନାହିଁ କୌଣସି ବିଦେଶୀ ଚାପ ।