ଆତଙ୍କବାଦୀ କାର୍ଯ୍ୟରେ ସମ୍ପୃକ୍ତ ଜମ୍ମୁ-କଶ୍ମୀର ଗଜନଭି ଫୋର୍ସ ବେଆଇନ ଘୋଷିତ
ନୂଆଦିଲ୍ଲୀ: ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ଜମ୍ମୁ-କଶ୍ମୀର ଗଜନଭି ଫୋର୍ସ (ଜେକେଜିଏଫ୍)କୁ ଶୁକ୍ରବାର ବେଆଇନ ଘୋଷଣା କରାଯାଇଛି। ଲଶ୍ମର-ଇ-ତୋଇବା, ଜୈଶ-ଇ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନର କ୍ୟାଡରମାନଙ୍କୁ ନେଇ ଜେକେଜିଏଫ୍ ଗଠିତ ହୋଇଥିଲା। ଏହା ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ, ବେଆଇନ ନିଶାଦ୍ରବ୍ୟ କାରବାର, ଅସ୍ତ୍ର ଚୋରାଚାଲାଣ ସହ ଆତଙ୍କବାଦୀ କାର୍ଯ୍ୟରେ ସମ୍ପୃକ୍ତ। ସୁରକ୍ଷା ବଳ ପ୍ରତି ଏହା ବିପଦର କାରଣ ହୋଇଛି। ଅନ୍ୟ ଏକ ବିଜ୍ଞପ୍ତିରେ ପଞ୍ଜାବ ବାସିନ୍ଦା ହରଓ୍ବିନ୍ଦର ସିଂ ସାନ୍ଧୁ ଓରଫ ରିଣ୍ଡାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆତଙ୍କବାଦୀ ଘୋଷଣା କରିଛି। ରିଣ୍ଡା ଏବେ ଲାହୋରରେ ରହି ବେଆଇନ ସଂଗଠନ ବାବ୍ବର ଖାଲସା ଇଣ୍ଟରନ୍ୟାଶନାଲ (ବିକେଆଇ) ସହ ସମ୍ପୃକ୍ତ ରହିଛି। ୨୦୨୧ରେ ପଞ୍ଜାବ ପୋଲିସର ଗୋଇନ୍ଦା ମୁଖ୍ୟାଳୟ ଉପରେ ଆକ୍ରମଣ ପଛରେ ରିଣ୍ଡା ମାଷ୍ଟରମାଇଣ୍ଡ ଥିଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି।