
ଜୟାପ୍ରଦାଙ୍କ ଜାମିନ୍ ମଞ୍ଜୁର କଲେ କୋର୍ଟ
ରାମପୁର: ବିନା ଅନୁମତିରେ ଏକ ସାଧାରଣ ସଭାର ଆୟୋଜନ କରିବା ମାମଲାରେ ଉତ୍ତରପ୍ରଦେଶର ରାମପୁରର ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ଜୟାପ୍ରଦାଙ୍କୁ ସ୍ଥାନୀୟ ଏମପି-ଏମଏଲଏ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି ହୋଇଥିଲା। ସରକାରୀ ଓକିଲ ଅମରନାଥ ତିୱାରୀ କହିଛନ୍ତି, ଜୟାପ୍ରଦା ରାମପୁରର ଏମପି-ଏମଏଲଏ ଅଦାଲତରେ ହାଜର ହୋଇଥିଲେ ଓ ଜାମିନ ଆବେଦନ ଦାଖଲ କରିଥିଲେ। ଏହାପରେ ଅଦାଲତ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି।
ତିୱାରୀ କହିଛନ୍ତି ଯେ, ୨୦୧୯ ଲୋକସଭା ନିର୍ବାଚନରେ ଜୟାପ୍ରଦା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଥିଲେ ଓ ଏହି ସମୟରେ ସେ ସୁଆର୍ ଅଞ୍ଚଳରେ ଏକ ରାସ୍ତା ଉଦ୍ଘାଟନ କରିଥିଲେ। ଏଥିସହ କେମ୍ରି ଅଞ୍ଚଳରେ ପ୍ରଶାସନର ଅନୁମତି ବିନା ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
ସେ କହିଛନ୍ତି ଯେ, ଅନେକ ଥର ସମନ ପଠାଯିବା ସତ୍ତ୍ବେ ଜୟପ୍ରଦା କୋର୍ଟରେ ହାଜର ହେଉନଥିଲେ। ଏହା ଉପରେ କୋର୍ଟ ୨୧ ଡିସେମ୍ବର ୨୦୨୨ରେ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ଆଜି ସେ କୋର୍ଟରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଥିଲେ। ମାମଲା ଜାମିନଯୋଗ୍ୟ ତେଣୁ ତାଙ୍କୁ ଜାମିନ ମିଳିଛି।