
ଜେଟ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ ଗିରଫ
ମୁମ୍ୱାଇ: ୫୩୮ କୋଟି ଟଙ୍କା ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜେଟ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଇଡ଼ି କାର୍ଯ୍ୟାଳୟରେ ଦୀର୍ଘ ସମୟ ପଚରାଉଚୁରା ପରେ ଗୋୟଲଙ୍କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଗିରଫ କରାଯାଇଥିଲା। ତାଙ୍କୁ ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର ପିଏମ୍ଏଲଏ କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ନିଆଯିବ ବୋଲି ସୂଚନା ମିଳିଛି। ଶୁକ୍ରବାର ସିବିଆଇ ୫୩୮ କୋଟି ଟଙ୍କା ଠକେଇ ଅଭିଯୋଗ ନେଇ ଜେଟ ଏୟାରୱେଜର ଚେୟାରମ୍ୟାନ୍, ତାଙ୍କ ପତ୍ନୀ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ପଞ୍ଜୀକରଣ କରିଥିଲା। ଗତବର୍ଷ ମେ ମାସରେ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା।