ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଡିଓ୍ଵାଇ ଚନ୍ଦ୍ରଚୂଡ ନିଯୁକ୍ତ

ନୂଆଦିଲ୍ଲୀ: ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ଉଚ୍ଚତମ ନ୍ୟାୟାଳୟର ୫୦ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଏହି ପଦରେ ତାଙ୍କୁ ନିଯୁକ୍ତ ଦେଇଛନ୍ତି। ବିଚାରପତି ଚନ୍ଦ୍ରଚୂଡ ନଭେମ୍ବର ୯ରେ ନିଜର ପଦଭାର ଗ୍ରହଣ କରିବେ। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ପ୍ରଧାନ ବିଚାରପତି ଥିବା ୟୁୟୁ ଲଳିତ ଗତ ମଙ୍ଗଳବାର ନିଜର ଉତ୍ତରାଧିକାରୀ ଭାବେ କେନ୍ଦ୍ର ସରକାରଙ୍କୁ ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିଥିଲେ। ପ୍ରଧାନ ବିଚାରପତି ଭାବେ ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିବ ଏବଂ ସେ ୨୦୨୪ ନଭେମ୍ବର ୧୦ରେ କାର୍ଯ୍ୟରୁ ଅବସର ନେବେ।

ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ଜନ୍ମ ୧୯୫୯ ନଭେମ୍ବର ୧୧ରେ ହୋଇଛି। ବର୍ତ୍ତମାନ ସେ ସୁପ୍ରିମକୋର୍ଟର ବିଚାରପତି। ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରୁ ଏଲଏଲବି କରିବା ପରେ ହାଭାର୍ଡ ବିଶ୍ଵ ବିଦ୍ୟାଳୟରୁ ଏଲଏଲଏମ ଏବଂ ନ୍ୟାୟିକ ବିଜ୍ଞାନରେ ଡକ୍ଟରେଟ୍(ଏସଜେଡି) କରିଛନ୍ତି। ସେ ଅନେକ ଆଇନ ବିଦ୍ୟାଳୟ, ସଂସ୍ଥା ଏବଂ ବିଶ୍ଵ ବିଦ୍ୟାଳୟରେ ଶିକ୍ଷାଦାନ ଦେଇ ସାରିଛନ୍ତି। ସେ ଭାରତର ଅନେକ ନ୍ୟାୟାଳୟରେ ଆଇନଜୀବୀ ଭାବେ କାମ କରିଛନ୍ତି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜରାଟ ଏବଂ ପଶ୍ଚିମବଙ୍ଗ ଉଚ୍ଚ ନ୍ୟାୟାଳୟରେ ପ୍ରାକ୍ଟିସ୍ କରିଛନ୍ତି।

୧୯୯୮ରେ ବମ୍ବେ ଉଚ୍ଚ ନ୍ୟାୟାଳୟରେ ବରିଷ୍ଠ ଆଇନଜୀବୀ(ସିନିୟର ଆଡଭୋକେଟ୍) ଭାବେ ନାମିତ ହୋଇଥିଲେ। ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ଭାରତର ଅତିରିକ୍ତ ସଲିସିଟର ଜେନେରାଲ ଭାବେ କାମ କରିଛନ୍ତି। ସେ ବମ୍ବେ ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଏବଂ ୨୦୧୩ ଅକ୍ଟୋବରରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।

Related Articles

Back to top button