
ଦେଶର ୫୧ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ସଞ୍ଜୀବ ଖାନ୍ନା
ଜଷ୍ଟିସ ସଞ୍ଜୀବ ଖାନ୍ନା ଆଜି ଦେଶର ୫୧ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଥିଲେ। ସେ ପୂର୍ବତନ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ବେଞ୍ଚରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଚନ୍ଦ୍ରଚୂଡଙ୍କ ସ୍ଥାନ ନେଇଛନ୍ତି ଏବଂ ବର୍ତ୍ତମାନ ତାଙ୍କ କାର୍ଯ୍ୟକାଳ ୧୩ ମେ ୨୦୨୫ ପର୍ଯ୍ୟନ୍ତ ତଥା ୭ ମାସ ଯାଏଁ ରହିବ । ଜାନୁଆରୀ ୨୦୧୯ରେ ଦିଲ୍ଲୀ ହାଇକୋର୍ଟରୁ ସୁପ୍ରିମ୍ କୋର୍ଟକୁ ପଦୋନ୍ନତି ପାଇଥିବା ଜଷ୍ଟିସ୍ ଖାନ୍ନା ତାଙ୍କ ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ଜଷ୍ଟିସ୍ ଖାନ୍ନା ନିକଟରେ ଅନେକ ଐତିହାସିକ ମାମଲାରେ ରାୟ ଶୁଣାଇଛନ୍ତି। ୨୦୨୪ରେ ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ଘୋଷଣା କରିଥିବା ଖଣ୍ଡପୀଠରେ ସେ ସାମିଲ ହୋଇଥିଲେ ଏବଂ ଏହାକୁ ସୂଚନା ଅଧିକାର ଆଇନର ଉଲ୍ଲଂଘନ ବୋଲି କହିଥିଲେ। ଖଣ୍ଡପୀଠ କହିଥିଲେ ଯେ ଏହି ଯୋଜନା ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତାର ଅଭାବ ସୃଷ୍ଟି କରୁଛି। ଧାରା ୩୭୦ ମାମଲାରେ ଜଷ୍ଟିସ ଖାନ୍ନା ୨୦୨୩ ର ସାମ୍ବିଧାନିକ ଖଣ୍ଡପୀଠର ସଦସ୍ୟ ଥିଲେ, ଯେଉଁଥିରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ବ୍ୟବସ୍ଥା ଉପରେ ରାୟ ଦିଆଯାଇଥିଲା। ଜଷ୍ଟିସ୍ ଖାନ୍ନା କହିଛନ୍ତି ଯେ ଧାରା ୩୭୦ ସଂଘୀୟ ବ୍ୟବସ୍ଥା ସହ ସମାନ ନୁହେଁ ଏବଂ ଏହାକୁ ହଟାଇବା ଦ୍ୱାରା ଦେଶର ସଂଘୀୟ ଢାଞ୍ଚା ପ୍ରଭାବିତ ହେବ ନାହିଁ। ଏହାବ୍ୟତୀତ ୨୦୨୪ରେ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ବନାମ ଭାରତୀୟ ନିର୍ବାଚନ ଆୟୋଗ ମାମଲାରେ ତାଙ୍କ ଖଣ୍ଡପୀଠ ଶତ ପ୍ରତିଶତ ଭିଭିପିଏଟି ଯାଞ୍ଚ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜଷ୍ଟିସ ଖାନ୍ନା ରାୟରେ ଲେଖିଥିଲେ ଯେ ଅବାଧ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନଙ୍କ ସୁରକ୍ଷା ବ୍ୟବସ୍ଥା ଯଥେଷ୍ଟ।
ଜାନୁଆରୀ ୨୦୨୧ରେ ସୁପ୍ରିମକୋର୍ଟ ଦିଲ୍ଲୀର ନୂଆ ସଂସଦ ଭବନ ସମେତ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ଅନୁମତି ଦେଇଥିଲେ। ତିନିଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨-୧ ସଂଖ୍ୟାଗରିଷ୍ଠତା ସହ ଏହି ନିଷ୍ପତ୍ତିକୁ ଅନୁମୋଦନ କରିଥିଲେ। ଜଷ୍ଟିସ ଖାନ୍ନା ଏହାକୁ ବିରୋଧ କରି ରାୟ ଦେଇଥିଲେ। ଜଷ୍ଟିସ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।