ଦଳାଚକଟା ପାଇଁ ଆରସିବି ସଂପୂର୍ଣ୍ଣ ଭାବେ ଦାୟୀ ବୋଲି ଦର୍ଶାଇଛନ୍ତି ସରକାର

ବେଙ୍ଗାଲୁରୁରେ ଆରସିବି ବିଜୟ ଉତ୍ସବ ଦଳାଚକଟା ଘଟଣାରେ ହାଇକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିଛନ୍ତି କର୍ଣ୍ଣାଟକ ସରକାର । ଏହି ରିପୋର୍ଟରେ ଦଳାଚକଟା ପାଇଁ ଆରସିବି ସଂପୂର୍ଣ୍ଣ ଭାବେ ଦାୟୀ ବୋଲି ସରକାର ଦର୍ଶାଇଛନ୍ତି । ଏଥିରେ ବିରାଟ କୋହଲିଙ୍କ ନାମ ରହିଛି । କର୍ଣ୍ଣାଟକ ସରକାରଙ୍କ କହିବାନୁଯାୟୀ, ଆରସିବି ବିଜୟ ଉତ୍ସବକୁ ଅନୁମତି ନଥିଲା, କେବଳ ସୂଚନା ମିଳିଥିଲା ।

ରିପୋର୍ଟରେ ଦାୟିତ୍ବହୀନତା ବିଷୟରେ ଉଲ୍ଲେଖ କରାଯାଇଛି । ଜୁନ୍ ୪ ତାରିଖରେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିଲା । ହାଇକୋର୍ଟକୁ ଦେଇଥିବା ରିପୋର୍ଟରେ କର୍ଣ୍ଣାଟକ ସରକାର କହିଛନ୍ତି କି, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଚିନ୍ନାସ୍ୱାମୀ ଷ୍ଟାଡିୟମକୁ କାହାକୁ କିଛି ନଜଣାଇ ବିଜୟ ପରେଡ ପାଇଁ ଲୋକମାନଙ୍କୁ ନିମନ୍ତ୍ରଣ କରିଥିଲା । ଏ ବିଷୟରେ ପୋଲିସକୁ ସୂଚନା ମିଳିନଥିଲା ।

ବିଜୟ ପରେଡ୍ ସମୟରେ ବହୁତ ଅବହେଳା ହୋଇଥିଲା । କୌଣସି ଉପଯୁକ୍ତ ବ୍ୟବସ୍ଥା ନଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନ କରୁଥିବା କମ୍ପାନୀ ଡିଏନଏ ନେଟୱାର୍କ ପ୍ରାଇଭେଟ୍ ଲିମିଟେଡ୍ କେବଳ ଜୁନ୍ ୩ ତାରିଖରେ ପୋଲିସକୁ ସୂଚନା ଦେଇଥିଲା, କିନ୍ତୁ ନିର୍ଦ୍ଦେଶ ଅନୁଯାୟୀ ଅନୁମତି ନେଇନଥିଲା ।ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆରସିବି ଏକ ସାର୍ବଜନୀନ କାର୍ଯ୍ୟକ୍ରମର ପ୍ରଚାର ପାଇଁ ଜୁନ୍ ୪ ତାରିଖରେ ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ଏକ ଭିଡିଓ ସେୟାର କରିଥିଲା । ଭିଡିଓ ମାଧ୍ୟମରେ କୋହଲି ପ୍ରଶଂସକମାନଙ୍କୁ କାର୍ଯ୍ୟକ୍ରମରେ ମାଗଣାରେ ଯୋଗଦେବାକୁ ଅନୁରୋଧ କରିଥିଲେ ।

କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରିପୋର୍ଟଟି ସାର୍ବଜନୀନ କରାଯାଇଛି। ରାଜ୍ୟ ସରକାର କୋର୍ଟଙ୍କୁ ରିପୋର୍ଟକୁ ଗୋପନ ରଖିବାକୁ ଅନୁରୋଧ କରିଥିଲେ। ମାତ୍ର କୋର୍ଟ କହିଛନ୍ତି ଯେ, ଏପରି ଗୋପନୀୟତାର କୌଣସି ଆଇନଗତ କାରଣ ନାହିଁ ।ଚିନ୍ନାସ୍ବାମୀ ଷ୍ଟାଡିୟମରେ ହୋଇଥିବା ଦଳାଚକଟା ଘଟଣାରେ ଆରସିବି ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା । ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ RCB ଏବଂ ଅନ୍ୟ ପରିଚାଳକଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା ।

Related Articles

Back to top button