
ନାଗପୁର ସ୍ଥିତ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୩ ଶ୍ରମିକଙ୍କ ମୃତ୍ୟୁ, ୩ ଗୁରୁତର
ମହାରାଷ୍ଟ୍ର: ସୋମବାର ମହାରାଷ୍ଟ୍ରର ନାଗପୁରର ହିଙ୍ଗନା ଗ୍ରାମରେ ଅବସ୍ଥିତ କାରଖାନା କାଟାରିଆ ଏଗ୍ରୋ ପିଭି ଲିମିଟେଡରେ ଭୀଷଣ ଅଗ୍ନିକାଣ୍ଡ ହେଇଛି । ଏହି ଦୁର୍ଘଟଣାରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଆହତ ହୋଇଛନ୍ତି। ଏହି କମ୍ପାନୀ ହିଙ୍ଗନାରେ ଅବସ୍ଥିତ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନେ ଏବେ ଚିକିତ୍ସିତ ହେଉଛନ୍ତି। ସକାଳ ପ୍ରାୟ ୧୧ ଟା ବେଳେ ଏହି ଅଗ୍ନିକାଣ୍ଡ ହୋଇଥିଲା। ଆଉ କିଛି ସମୟ ମଧ୍ୟରେ ନିଆଁ ସମଗ୍ର କାରଖାନାକୁ ବ୍ୟାପିଗଲା।
ଅଗ୍ନିକାଣ୍ଡ ପରେ ଅଗ୍ନିଶମ କେନ୍ଦ୍ରକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲା। ମହାରାଷ୍ଟ୍ରର ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ତିନି ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ତିନିଜଣ ଶ୍ରମିକ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ସେ ଟ୍ୱିଟ କରି ଜଣାଇଛନ୍ତି। ନିଆଁକୁ ଆୟତ୍ତ କରାଯାଇଛି।
କିନ୍ତୁ ଅନ୍ୟ ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଚାରିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ରୁ ଅଧିକ ଶ୍ରମିକ ଏବେ ମଧ୍ୟ ଫସି ରହିଛନ୍ତି । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହେଇନାହିଁ । ପୋଲିସ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କାରଖାନା ପରିଚାଳନା ସହିତ ଆଲୋଚନା ଚାଲିଛି। ଅଧିକାରୀ କହିଛନ୍ତି ଯେ ଏବେ ଶ୍ରମିକଙ୍କୁ ବଞ୍ଚାଇବା ହେଉଛି ପ୍ରଥମ ପ୍ରାଥମିକତା। ଏହା ପରେ ଦୁର୍ଘଟଣାର କାରଣ ଜଣାପଡିବ। ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ତୁରନ୍ତ ନାଗପୁରର କଲେକ୍ଟରଙ୍କୁ ଏହି ପ୍ରସଙ୍ଗରେ ସମନ୍ୱୟ ରକ୍ଷା କରିବାକୁ କହିଛନ୍ତି।