
ପ୍ରବଳ ବର୍ଷା କାରଣରୁ କେଦାରନାଥ ଯାତ୍ରାକୁ ବନ୍ଦ ରଖାଯାଇଛି
ପ୍ରବଳ ବର୍ଷା କାରଣରୁ କେଦାରନାଥ ଯାତ୍ରାକୁ ବନ୍ଦ ରଖାଯାଇଛି । ଯାତ୍ରୀଙ୍କୁ ସୋନପ୍ରୟାଗ ଓ ଗୌରୀକୁଣ୍ଡରେ ଅଟକାଇ ରଖାଯାଇଛି । ରୁଦ୍ରପ୍ରୟାଗ ଓ ଚମୋଲୀ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଓ ଏହାର ନିକଟବର୍ତ୍ତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଅଲକନନ୍ଦା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ମାତ୍ର ନଦୀରେ ଜଳସ୍ତର ବିପଦ ସଙ୍କେତ ତଳକୁ ରହିଥିବା ଜଣାପଡିଛି ।ବଦ୍ରିନାଥ ଯାଉଥିବା ସମସ୍ତ ରାସ୍ତା ମଧ୍ୟ ଭୂସ୍ଖଳନ ପରେ ବନ୍ଦ ରଖାଯାଇଛି । ଗୌରୀକୁଣ୍ଡରେ ଭଗ୍ନାବଶେଷ ହଟାଇବା କାମ ଜାରି ରହିଛି । ସମସ୍ତ କାର୍ଯ୍ୟ ଶେଷ ପରେ ପୁଣି ଯାତ୍ରା ଆରମ୍ଭ କରାଯିବ ।ସୂଚନାନୁଯାୟୀ, ଗତ କିଛି ଦିନ ହେବ ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ଏହି କାରଣରୁ ଭୂସ୍ଖଳନ ଘଟଣା ମଧ୍ୟ ସାମ୍ନାକୁ ଆସିଛି । କିଛି ଦିନ ତଳେ ସୋନପ୍ରୟାଗରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ହୋଇଥିଲା । ଏଥିରେ କେଦାରନାଥରୁ ଫେରୁଥିବା ୪୦ରୁ ଅଧିକ ଶ୍ରଦ୍ଧାଳୁ ଫସି ଯାଇଥିଲେ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । କିଛି ସ୍ଥାନରେ ବାଦଲ ଫଟା ବର୍ଷା ମଧ୍ୟ ହୋଇଛି ।
ଉତ୍ତରାଖଣ୍ଡର ୪ ଜିଲାକୁ ଭୂସ୍ଖଳନ ପାଇଁ ଚେତାବନୀ ଜାରି କରାଯାଇଛି । ବିଭାଗ ୭ ଓ ୮ ଜୁଲାଇରେ ଉତ୍ତରାଖଣ୍ଡର ଟିହରୀ, ରୁଦ୍ରପ୍ରୟାଗ, ଚମୋଲି ଓ ଉତ୍ତରକାଶୀରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ଲୋକଙ୍କୁ ସତର୍କ ରହିବା ପାଇଁ ମଧ୍ୟ କୁହାଯାଇଛି ।