
ଆମେରିକା ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗର ଦାବିକୁ ସଂପୂର୍ଣ୍ଣ ଖଣ୍ଡନ କରିଛି ଭାରତ ।
ଭାରତରେ ସଂଖ୍ୟାଲଘୁ ବିରୋଧରେ ଭେଦଭାବ ଉପରେ ଆମେରିକା ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗ(USCIRF)ର ଦାବିକୁ ସଂପୂର୍ଣ୍ଣ ଖଣ୍ଡନ କରିଛି ଭାରତ । ଆଉ ମୁହଁତୋଡ ଜବାବ ଦେଇ ଭାରତ କହିଛି ଯେ, ଆମେରିକାର ଏହି ସଂସ୍ଥାର ରିପୋର୍ଟ ଗଣତନ୍ତ୍ର ଓ ସହିଷ୍ଣୁତାର ପ୍ରତୀକ ଭାବେ ଭାରତର ଛବିକୁ ମଳିନ କରିବାକୁ ଉଦ୍ୟମ କରିଛି । କଦାପି ଏହା ସଫଳ ହେବ ନାହିଁ ବୋଲି ଭାରତ କହିଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, USCIRF ସଦ୍ୟତମ ରିପୋର୍ଟ, ପକ୍ଷପାତିତା ଓ ରାଜନୀତି ଉଦ୍ଦେଶ୍ୟ ପ୍ରଣୋଦିତ । ଗଣତନ୍ତ୍ର ଓ ସହିଷ୍ଣୁତାର ପ୍ରତୀକ ଭାରତର ସ୍ଥିତିକୁ ଦୁର୍ବଳ କରିବା ପାଇଁ ଅପପ୍ରୟାସ କରାଯାଉଛି । ଆମେରିକାର ଏହି ପ୍ରୟାସ କଦାପି ସଫଳ ହେବ ନାହିଁ । ଏହି ସଂସ୍ଥାର ରିପୋର୍ଟକୁ ପଢିବା ପରିବର୍ତ୍ତେ, ଏହାକୁ ଏକ ଚିନ୍ତାଜନକ ସଂସ୍ଥା ଭାବେ ବିବେଚନା କରାଯାଉ ବୋଲି ଭାରତ କହିଛି ।
ବୈଦେଶିକ ମନ୍ତ୍ରଣାଳୟ କହିଛି, USCIRF ଦ୍ୱାରା ଅଲଗା ଅଲଗା ଘଟଣାକୁ ଭୁଲ ଭାବେ ଚିତ୍ରଣ କରି ଭାରତର ଧାର୍ମିକ ସ୍ୱାଧୀନତା ଓ ସହିଷ୍ଣୁତାର ଗରିମାକୁ କ୍ଷୁର୍ଣ୍ଣ କରିବାକୁ ହୀନ ପ୍ରୟାସ କରାଯାଉଛି । ଏହା ସେମାନଙ୍କର ଏଜେଣ୍ଡାକୁ ଦର୍ଶାଉଛି । ସେହ ଦୃଷ୍ଟିରୁ USCIRF କୁ ଏକ ଚିନ୍ତାଜନକ ସଂସ୍ଥା ଭାବେ ନାମିତ କରାଯାଉ । ସୂଚନାଯୋଗ୍ୟ, ଆମେରିକୀୟ ପ୍ୟାନେଲ ନିଜର ବାର୍ଷିକ ରିପୋର୍ଟରେ ଭାରତର ବିଦେଶୀ ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ(ର)କୁ ଆମେରିକାରେ ବ୍ୟାନ କରିବାକୁ ଦାବି କରିଥିଲା । ଏହି ପ୍ୟାନେଲ କହିଥିଲା ଯେ, ର ସଂଖ୍ୟାଲଘୁଙ୍କ ବିରୋଧରେ ଭେଦଭାବ କରିଥାଏ । ସେମାନଙ୍କର ଉତ୍ପୀଡନ ବି କରିଥାଏ । ଶିଖ ବିଚ୍ଛିନ୍ନତାବାଦୀଙ୍କ ହତ୍ୟାରେ ଭାରତୀୟ ଗୁଇନ୍ଦା ସଂସ୍ଥାର ହାତ ରହିଛି ।