କେରଳରେ ତାନ୍ତ୍ରୀକ ଦେଇଥିଲା ନର ବଳି: ହତ୍ୟା ପରେ ମାଂସ ରାନ୍ଧି ଖାଇଥିଲେ ଦମ୍ପତି, ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

କୋଚି : ସମୟ ଯେତେ ବଦଳିଲେ ବି ମଣିଷ କିନ୍ତୁ ବଦଳି ପାରୁନାହିଁ । ପୁଣି ଗୁଣିଗାରେଡ଼ି, ନରବଳି ସମାଜରେ ଲୋକଙ୍କୁ ଜାବୁଡ଼ି ଧରୁଛି । କେରଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାହାକୁ ନେଇ ସାରା ଭାରତରେ ଚର୍ଚା ଚାଲିଛି । ନର ବଳି  ମାମଲାକୁ ନେଇ ପୁଲିସ୍‌ ଯାହା କହିଛି ତାହା ଯଦି ସତ୍ୟ ହୋଇଥାଏ ତାହେଲେ ସାଂଘାତିକ । ପୁଲିସ୍‌  କହିଛି ଯେ କୋଚିରେ ଧନ ପ୍ରାପ୍ତି ଆଶାରେ ଗୁଣିଗାରଡ଼ି ସନ୍ଦେହରେ ବଳିଦେବା ପାଇଁ ଜଣେ ମହିଳାଙ୍କୁ ଅତି ଅମାନୁଷିକ ଭାବରେ ହତ୍ୟା କରାଯାଇଛି। ଖାଲି ହତ୍ୟା କରାଯାଇନାହିଁ । ତାଙ୍କର କିଛି ଅଙ୍ଗକୁ ରୋଷେଇ କରି ଖାଇଛନ୍ତି ଅଭିଯୁକ୍ତ ।

ପ୍ରଥମେ ମୃତକ ମହିଳାଙ୍କୁ ନିଖୋଜ ନେଇ ପରିବାର ଲୋକ ଥାନାରେ ମାମଲା କରିଥିଲେ । ପୁଲିସ୍‌  ପ୍ରାରମ୍ଭିକ ତଦନ୍ତ ଚଳାଉଥିବା ବେଳେ ସାମ୍ନାକୁ ଆସିଥିଲା ଏନେଇ ସମ୍ବେଦନଶୀଳ ଘଟଣା।  ତାନ୍ତ୍ରୀକ ମହମ୍ମଦ ସାଫି ମଣିଷ ବଳି ଦେବା ପାଇଁ ଜଣେ ଦମ୍ପତିଙ୍କୁ ଆର୍ଥିକ ଲୋଭ ଦେଖାଇଥିଲେ ।  ରାତା ରାତି ଧନୀ ହେବା ପାଇଁ ମଣିଷ ବଳି ଦେବାକୁ ପଡ଼ିବ କହି ପ୍ରଥମେ ତାନ୍ତ୍ରୀକ ଏହି ଦମ୍ପତିଙ୍କୁ ବସିଭୁତ କରିଥିଲା। ପରେ ଗୋଟେ ପରେ ଆଉ ଗୋଟେ ମହିଳାଙ୍କୁ ବଳି ପକାଇଥିଲା ସାଫି । ଦୁଇଟି ମହିଳାଙ୍କୁ ବଳି ପକାଇଥିବା ସାଫି ମଧ୍ୟ ପୋଲିସ ଆଗରେ ସ୍ବୀକାର କରିଛି ।  

ସୂଚନା ଅନୁଯାୟୀ, କେରଳ ଏର୍ଣ୍ଣାକୁଲମ ଜିଲ୍ଲାର ଏହି ଦମ୍ପତି ଧନ ପ୍ରାପ୍ତି ପାଇଁ ଦୁଇ ମହିଳାଙ୍କୁ ବଳି ଦେଇଥିଲେ । ଦୁଇ ମହିଳାଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୁଣ୍ଡ କାଟି ମୁଣ୍ଡ ବିହୀନ ମୃତଦେହକୁ ପୋତି ଦେଇଥିଲେ । ଗତ କିଛି ମାସ ତଳେ ଦୁଇ ମହିଳା ଏର୍ଣ୍ଣାକୁଲମ ଜିଲ୍ଲାର ପୃଥକପୃଥକ ସ୍ଥାନରୁ ନିଖୋଜ ଥିବା ନେଇ ଥାନାରେ ଏତଲା ଦାଖଲ ହୋଇଥିଲା । ତେବେ ପୋଲିସ ତଦନ୍ତରୁ ଉଭୟଙ୍କୁ ବଳି ଦେବା ଉଦ୍ଦେଶ୍ୟରେ ହତ୍ୟା କରାଯାଇ ମୁଣ୍ଡବହୀନ ମୃତଦେହକୁ ଦମ୍ପତି ପୋତି ଦେଇଥିବା ଜଣାପଡିଥିଲା ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ବଳି ଉଦ୍ଦେଶ୍ୟରେ ନିର୍ମମ ହତ୍ୟାର ଶିକାର ହୋଇଥିବା ଦୁଇ ମହିଳା ହେଲେ ରୋସେଲିନ ଓ ପଦ୍ମା । ଉଭୟ ଏର୍ଣ୍ଣାକୁଲମ ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳର ବାସିନ୍ଦା । ଉଭୟଙ୍କ ବୟସ ପ୍ରାୟ ୫୦ହେବ । ରୋସେଲିନ ଜୁନ ମାସରୁ ନିଖୋଜ ଥିବା ବେଳେ ପଦ୍ମା ସପ୍ଟେମ୍ବର ମାସରୁ ନିଖୋଜ ରହିଥିଲେ । ପରେ ଉଭୟ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଭିନ୍ନ ଭିନ୍ନ ନିଖୋଜ ଅଭିଯୋଗ କରାଯାଇଥିଲା । ତେବେ ପୋଲିସ ବିଭିନ୍ନ ଦିଗରୁ ସେମାନଙ୍କୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଥିବା ବେଳେ ସେମାନଙ୍କୁ ବଳି ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି ।

ଏହି ଜଘନ୍ୟ ହତ୍ୟାକାଣ୍ଡର ୩ ଅଭିଯୁକ୍ତଙ୍କୁ ବୁଧବାର ଏର୍ଣ୍ଣାକୁଲମ ଜିଲ୍ଲା ଜଜ୍‌ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ୩ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହଜାତକୁ ପଠାଇ ଦେଇଛନ୍ତି । ଭାଗୱଲ ସିଂହ ଓ ତାର ପତ୍ନୀ ଲୈଲା ମହମ୍ମଦ ଶାଫି କଥାରେ ପଡ଼ି ସମ୍ପତ୍ତି ବୃଦ୍ଧି ଏହି ନାରକୀୟ କାଣ୍ଡ ଘଟାଇଛନ୍ତି । ଗତ ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଅକ୍ଟୋବର ୨୬ ତାରିଖ ଯାଏଁ ଏର୍ଣ୍ଣାକୁଲମ କୋର୍ଟ ଅଭିଯୁ୍କ୍ତଙ୍କୁ ବିଚାର ବିଭାଗୀୟ ହଜାତକୁ ପଠାଇ ଦେଇଛନ୍ତି ।

Related Articles

Back to top button