ଖଲିସ୍ତାନ ସମର୍ଥକ ଅମ୍ରିତପାଲ ସିଂଙ୍କୁ ପଳାତକ ଘୋଷଣା କଲା ପଞ୍ଜାବ ପୁଲିସ୍
ଅମୃତସର: ଖଲିସ୍ତାନ ସମର୍ଥକ ତଥା ‘ୱାରିସ ପଞ୍ଜାବ ଦି’ ସଂଗଠନର ମୁଖ୍ୟ ବିଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହକୁ ଧରିବାରେ ବିଫଳ ହେଲା ପୁଲିସ। ତା’ର କିଛି ସମର୍ଥକ ଧରାପଡ଼ିଥିବା ବେଳେ ସେ ଏବେ ବି ଫେରାର୍ ଅଛି। ପଞ୍ଜାବ ପୁଲିସ ପକ୍ଷରୁ ତାକୁ ପଳାତକ ଘୋଷଣା କରାଯାଇଛି। ଅମ୍ରିତପାଲ ଫେରାର୍ ହୋଇଯିବା ପରେ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି।
ଗତକାଲି ଅମ୍ରିତପାଲ ସିଂହଙ୍କୁ ପୁଲିସ ଗିରଫ କରିଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲ। ହେଲେ ପରେ ଜଣାପଡ଼ିଥିଲା ଯେ ଅମ୍ରିତପାଲ ଫେରାର୍ ହୋଇଯାଇଛି। ତାକୁ ଧରିବାକୁ ରାଜ୍ୟ ସାରା ଚଢାଉ ଜାରି ରହିଛି। ହିଂସା ଆଶଙ୍କାରେ ରାଜ୍ୟରେ ଇଣ୍ଟରନେଟ୍ ବନ୍ଦ ରହିଛି।
ଅମ୍ରିତପାଲ ସିଂହକୁ ଧରିବାକୁ ଗତକାଲି ଚଢ଼ାଉ ଆରମ୍ଭ ହୋଇଥିଲା। ୭ ଜିଲ୍ଲା ପୁଲିସର ୫୦ ପୁଲିସ ଗାଡି ତାକୁ ଧରିବାକୁ ଗୋଡ଼ାଇଥିଲା। ଶେଷଥର ପାଇଁ ଅମ୍ରିତପାଲକୁ ଝଳନ୍ଧରରେ ସ୍ପିଡ୍ ବାଇକ୍ ଚଳାଇ ଯାଉଥିବାର ଦେଖିବାକୁ ମିଳିଥିଲା।
ଏହି ଚଢ଼ାଉରେ ‘ୱାରିସ ପଞ୍ଜାବ ଦି’ ସଂଗଠନର ୭୮ ଜଣ ଗିରଫ ହୋଇଛନ୍ତି। ସେହିପରି ଅନ୍ୟ କେତକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଅମ୍ରିତାପାଲ ସିଂହର ୬-୭ ଜଣ ବନ୍ଧୁକଧାରୀଙ୍କୁ ଗିରଫ କରାଯାଇଥିବା ଜଳନ୍ଧର ପୁଲିସ କମିଶନର କୁଲଦୀପ ସିଂହ ଚହଲ ସୂଚନା ଦେଇଛନ୍ତି। ସେହିପରି ଖଲିସ୍ତାନ ନେତାଙ୍କୁ ଅର୍ଥ ଯୋଗାଣରେ ସହଯୋଗ କରୁଥିବା ଅମ୍ରିତପାଲର ନିକଟର ଦଲଜୀତ ସିଂହ କାଲ୍ସୀକୁ ବି ହରିଆଣା ଗୁଡ଼ଗାଓରୁ ଗିରଫ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।