କୋଲକାତାରେ ଏଲଏଲବି ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲା ପହଞ୍ଚିଛି ସୁପ୍ରିମକୋର୍ଟରେ

କୋଲକାତାରେ ଏଲଏଲବି ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟଙ୍କ ଓକିଲ ସତ୍ୟମ ସିଂ ସୋମବାର ଯାଚିକା ଦାଖଲ କରି କୋର୍ଟଙ୍କ ତତ୍ୱାବଧାନରେ ସିବିଆଇ ତଦନ୍ତ ଦାବି କରିଛନ୍ତି । ନିର୍ଦ୍ଧାରିତ ସମୟ ସୀମା ଭିତରେ ଘଟଣାର ଯାଞ୍ଚ କରିବାକୁ ଯାଚିକାରେ ଅନୁରୋଧ କରାଯାଇଛି । ଏଥିରେ ପୀଡିତାଙ୍କ ବିଷୟରେ ତୃଣମୂଳ ସାଂସଦ କଲ୍ୟାଣ ବାନାର୍ଜୀ ଓ ବିଧାୟକ ମଦନ ମିତ୍ରଙ୍କ ଅପମାନଜନକ ବୟାନର ମଧ୍ୟ ଉଲ୍ଲେଖ କରାଯାଇଛି ।

ଏହି ଘଟଣାକୁ ନେଇ ପୁଣି ଥରେ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାର ଅଡୁଆରେ ପଡିଛନ୍ତି । କାରଣ ଗତ ବର୍ଷ ଆରଜି କର ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ଜଣେ ଟ୍ରେନିଂ ମହିଲା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଆଉ ଏକ ଦୁଷ୍କର୍ମ କେସ ରାଜ୍ୟକୁ ପୁଣି ଥରେ ନିନ୍ଦିତ କରିଛି । ମୁଖ୍ୟ ଅଭିଯୁକ୍ତ ପୁଣି ଜଣେ ଟିଏମସିର କର୍ମକର୍ତ୍ତା ଏବଂ ପେଶାରେ ଜଣେ ଅପରାଧିକ ଓକିଲ । ସେ ଲ କଲେଜର ପୂର୍ବତନ ଛାତ୍ର ।

ଜୁନ ୨୫ରେ ସାଉଥ କୋଲକାତା ଲ କଲେଜର ପ୍ରଥମ ବର୍ଷର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ମୁଖ୍ୟ ଅଭିଯୁକ୍ତ ତୃଣମୂଳ କଂଗ୍ରେସ(ଟିଏମସି)ର ଯୁବ ମୋର୍ଚ୍ଚାର ସଦସ୍ୟ । ପୀଡିତାଙ୍କ ମୁତାବକ ତାଙ୍କୁ ଛାତ୍ର ସଂଘ କାର୍ଯ୍ୟାଳୟ ନିକଟରେ ଥିବା ଗାର୍ଡ ରୁମରେ ତିନି ଯୁବକ ଡାକିଥିଲେ । ଏଥିରେ ୩୧ ବର୍ଷୀୟ ପୂର୍ବତନ ଛାତ୍ର ତଥା ଓକିଲ ମନୋଜିତ ମିଶ୍ର ତାଙ୍କ ସହ ଦୁଷ୍କର୍ମ କଲେ । ସେହି ସମୟରେ ଦୁଇ ଅନ୍ୟ ଛାତ୍ର ଜେବ ଅହମ୍ମଦ(୧୯) ଓ ପ୍ରମିତ ମୁଖୋପାଧ୍ୟାୟ(୨୦) ସେଠାରେ ଉପସ୍ଥିତ ରହି ଅଭିଯୁକ୍ତକୁ ସହାୟତା କରୁଥିଲେ । ତିିନି ଜଣଙ୍କୁ ପ୍ରଥମେ ଗିରଫ କରାଯାଇଥିବା ବେଳେ କଲେଜର ଜଣେ ଗାର୍ଡକୁ ବି ଗିରଫ କରାଯାଇଛି ।

Related Articles

Back to top button