ଆସିଲା ଜୁନର ପାଇକାରୀ ମୁଦ୍ରାସ୍ପିତି ରିପୋର୍ଟ, ଦେଖା ଯାଇଛି ସାମାନ୍ୟ ହ୍ରାସ

ନୂଆଦିଲ୍ଲୀ ୧୪।୭: କମର୍ସ ମିନିଷ୍ଟ୍ରି ପକ୍ଷରୁ ଗୁରୁବାର ଜୁନ ମାସର ପାଇକାରୀ ମୁଦ୍ରାସ୍ପିତି ହାର ଜାରି କରାଯାଇଛି। ତାଜା ତଥ୍ୟ ଅନୁସାରେ ଜୁନ ମାସରେ ପାଇକାରୀ ମୁଦ୍ରାସ୍ପିତିରେ ସାମାନ୍ୟ ହ୍ରାସ ଦେଖାଯାଇଛି। ଏହା ପୂର୍ବବର୍ତ୍ତି ମାସ ଅର୍ଥାତ ମେ ମାସର ୧୫.୮୮ ପ୍ରତିଶତରୁ ହ୍ରାସ ହୋଇ ୧୫.୧୮ ପ୍ରତିଶତକୁ ପହଞ୍ଚିଛି। ତେବେ ହାର ଅନୁମାନରୁ କାମ ରହିବା ଏକ ଶୁଭେ ସଂକେତ ବୋଲି କୁହାଯାଉଛି। ଜୁନ ୨୦୨୧ରେ ଏହି ହାର ୧୨.୦୭ ପ୍ରତିଶତ ଥିଲା।

ତେବେ ଏହା ପୂର୍ବରୁ ଅନୁମାନ କରାଯାଉଥିଲା ପାଇକାରୀ ମୁଦ୍ରାସ୍ପିତି ହାର ୧୫.୫୦ ପ୍ରତିଶତ ରହିପାରେ। ତେବେ ଅନୁମାନ ଠାରୁ ହାର ହ୍ରାସ ହେବା ଏବେ ଆଶ୍ୱସ୍ତିର ଖବର ବୋଲି କୁହାଯାଉଛି। ଏଥିରୁ ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ( ଆରବିଆଇ) କରୁଥିବା ଉପାୟ କାମ ଦେଉଥିବା ଓ ଭବିଷ୍ୟତରେ ଆହୁରି ହ୍ରାସ ହୋଇପାରେ ବୋଲି କୁହାଯାଇଛି। ତେବେ ଯାହା ସବୁଠୁ ଚିନ୍ତାର ବିଷୟ, ତାହା ହେଉଛି ଗତ ୧୫ ମାସରୁ ଊର୍ଦ୍ଧ୍ୱ କାଳ ହେଲା ଏହା ଦୁଇ ସଂଖ୍ୟାରେ ରହିଛି।

ସୂଚନା ମୁତାବକ ଜୁନ ୨୦୨୨ରେ ଖାଦ୍ୟପଦାର୍ଥର ପାଇକାରୀ ମୁଦ୍ରାସ୍ପିତି ମେ ମାସର ୧୦.୮୯ ପ୍ରତିଶତରୁ ବଢି ୧୨.୪୧ ପ୍ରତିଶତକୁ ପହଞ୍ଚିଯାଇଛି। ଏଥିରେ ପ୍ରାଇମେରି ଆର୍ଟିକ୍ଲର ହୋଲସେଲ ପ୍ରାଇସ୍ ଇଣ୍ଡେକ୍ସ (ଡବ୍ଲୁପିଆଇ) ୧୯.୭୧ ପ୍ରତିଶତରୁ ହ୍ରାସ ହୋଇ ୧୯.୨୨ ପ୍ରତିଶତକୁ ପହଞ୍ଚିଛି। ସେହିପରି ଏହି ସମୟରେ ଫ୍ୟୁଲ ଓ ପାୱାର ଡବ୍ଲୁପିଆଇ ୪୦.୬୨ ପ୍ରତିଶତରୁ ହ୍ରାସ ହୋଇ ୪୦.୩୮ ପ୍ରତିଶତକୁ ପହଞ୍ଚିଛି।

ସେହିପରି ରେଡିମେଡ୍ ପ୍ରଡକ୍ଟସର ଡବ୍ଲୁପିଆଇ ୧୦.୧୧ ପ୍ରତିଶତରୁ ହ୍ରାସ ହୋଇ ୯.୧୯ ପ୍ରତିଶତ ହୋଇଛି। ତେବେ ଜୁନ ୨୦୨୨ରେ ପନିପରିବା ପାଇକାରୀ ମୁଦ୍ରାସ୍ପିତି ମେ ମାସର ୫୬.୩୬ ପ୍ରତିଶତରୁ ବଢି ୫୬.୭୫ ପ୍ରତିଶତକୁ ପହଞ୍ଚିଯାଇଛି। ତେବେ ଅଣ୍ଡା ଓ ମାଂସର ଡବ୍ଲୁପିଆଇ ୭.୭୮ ପ୍ରତିଶତରୁ ହ୍ରାସ ହୋଇ ୭.୨୪ ପ୍ରତିଶତ ରହିଛି। ଏହି ସମୟରେ ପିଆଜର ହୋଲସେଲ ପ୍ରାଇସ୍ ଇଣ୍ଡକ୍ସ ବିଯୁକ୍ତ ୨୦.୪୦ ପ୍ରତିଶତରୁ ହ୍ରାସ ହୋଇ ବିଯୁକ୍ତ ୩୧.୫୪ ପ୍ରତିଶତକୁ ପହଞ୍ଚିଛି। ତେବେ ଆଳୁ ୨୪.୮୩ ପ୍ରତିଶତରୁ ବଢି ୩୯.୩୮ ପ୍ରତିଶତ ରହିଛି।

Related Articles

Back to top button