ରାଜ୍ୟରେ ସେନା ମୁତୟନ କରିବାକୁ ଦାବି କଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗରେ ୱାକଫ ଆଇନ ବିରୋଧରେ ଶୁକ୍ରବାର ଘଟିଥିବା ହିଂସକ ପ୍ରଦର୍ଶନ ପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ସେନା ମୁତୟନ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ରାଜ୍ୟରେ ଅନୁଚ୍ଛେଦ ୩୫୫ ଲାଗୁ ହେବା ଉଚିତ୍ ଓ ଆଇନ ଶୃଙ୍ଖଳା ପାଇଁ ସେନା ଓ ସୁରକ୍ଷାବଳକୁ ମୁତୟନ କରିବା ଉଚିତ୍ । କାରଣ ରାଜ୍ୟରେ ମମତା ବାନାର୍ଜୀ ଆଇନ ଶୃଙ୍ଖଳା ବଜାୟ ରଖିବାରେ ବିଫଳ ହୋଇଛନ୍ତି । ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ ସମୟରେ ଅନେକ ଯାନ ବାହାନରେ ଉତ୍ତ୍ୟକ୍ତକାରୀ ଲୋକେ ନିଆଁ ଲଗାଇ ଦେଇଥିଲେ । ସ୍ଥିତି ନିୟନ୍ତ୍ରଣ କରିବା ଉଦ୍ୟମରେ କିଛି ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି ।ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ରାଜ୍ୟରେ ଲୋକଙ୍କ ବ୍ୟକ୍ତିଗତ ସଂପତ୍ତିର ଭଙ୍ଗାରୁଜା କରାଯାଉଛି । ଅରାଜକତା ସୃଷ୍ଟି କରାଯାଉଛି । ଯଦି ରାଜ୍ୟ ସରକାର ଆଇନ ଶୃଙ୍ଖଳା ରଖିବାରେ ବିଫଳ ତେବେ କେନ୍ଦ୍ରର ସହାୟତା ମାଗିବା ଉଚିତ୍ । ମୁର୍ଶିଦାବାଦ, ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ୨୪ ପ୍ରଗଣା, ହୁଗଳି, ମାଲଦା ଓ ବୀରଭୂମ ଜିଲ୍ଲାରେ ଧାରା ୩୫୫ ଲାଗୁ ହେବା ଉଚିତ୍ ।

ନିଷେଧାଦେଶ ଜାରି ପରେ ବି ମୁର୍ଶିଦାବାଦ ଜିଲ୍ଲାର ସୁତିରେ ପ୍ରଦର୍ଶନକାରୀ ଏକତ୍ର ହୋଇଥିଲେ ଏବଂ ରାସ୍ତା ରୋକ କରିଥିଲେ । ଏପରିକି ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରେ ପଥରମାଡ କରିଥିଲେ । ଶୋଭାଯାତ୍ରା ସମୟରେ ପୋଲିସ ଭ୍ୟାନ ଓ ସାଧାରଣ ବସଗୁଡିକରେ ନିଆଁ ଲଗାଇ ଦେଇଥିଲେ ଉପଦ୍ରବୀ । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଅଶାନ୍ତି ତେବେ ସୃଷ୍ଟି ହେଲା ଯେେବେ ନମାଜ ପରେ ମୁସଲିମ ସମୁଦାୟର ଲୋକେ ଏକତ୍ରିତ ହୋଇଥିଲେ । ସେମାନେ ୱକଫ ଆଇନ ବିରୋଧରେ ପ୍ରଦର୍ଶନ କଲେ ।

Related Articles

Back to top button