ଆସାମ ସୀମା ନିକଟ ମଣିପୁରର ହିଂସାପ୍ରବଣ ଜିରିବାମ ଜିଲ୍ଲାରୁ ସନ୍ଧ୍ୟାରେ ଜଣେ ମହିଳା ଓ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର
ଆସାମ ସୀମା ନିକଟ ମଣିପୁରର ହିଂସାପ୍ରବଣ ଜିରିବାମ ଜିଲ୍ଲାରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ମହିଳା ଓ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜିଲ୍ଲାର ଜିରିମୁକ ଗାଁ ନିକଟ ଜିରି ନଦୀରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଗତ ସୋମବାର, ନଭେମ୍ବର ୧୧ ତାରିଖରେ ଜିରିବାମର ବୋରୋବେକରା ଥାନା ଅଞ୍ଚଳରେ ସିଆରପିଏଫ ସହ ଏନକାଉଣ୍ଟରରେ ୧୦ ଜଣ ଆଦିବାସୀ ଯୁବକ ନିହତ ହୋଇଥିଲେ। ନିହତ ହୋଇଥିବା ସନ୍ଦିଗ୍ଧମାନେ ଉଗ୍ରବାଦୀ ବୋଲି ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି।ସେହିଦିନ ସଂଧ୍ୟାରେ ବଡ଼ବେକରା ଥାନା ନିକଟରେ ଥିବା ଏକ ରିଲିଫ୍ କ୍ୟାମ୍ପରୁ ଗୋଟିଏ ପରିବାରର ୬ ଜଣ ସଦସ୍ୟ ନିଖୋଜ ହୋଇଥିବା ଜଣାପଡ଼ିଥିଲା। ଏଥିରେ ଜଣେ ୬୦ ବର୍ଷୀୟ ବୃଦ୍ଧାଙ୍କ ସମେତ ୩ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। ଏହାର ୫ ଦିନ ପରେ ଶୁକ୍ରବାର ଜଣେ ମହିଳା ଓ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଗଣମାଧ୍ୟମରିପୋର୍ଟ ଅନୁଯାୟୀ ମୃତଦେହଗୁଡ଼ିକ ନିଖୋଜ ବ୍ୟକ୍ତିଙ୍କ ବୋଲି କୁହାଯାଉଥିବା ବେଳେ ପୁଲିସ ଏପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳିପାରିନାହିଁ।
ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ରିଲିଫ୍ କ୍ୟାମ୍ପଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା କୁହାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନଦୀରେ ମିଳିଥିବା ମୃତଦେହ ଗୁଡ଼ିକ ଗଳିତ ଅବସ୍ଥାରେ ଥିଲା। କାଚାର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନୁମୁଲ ମହାଟ୍ଟା କହିଛନ୍ତି, ମଣିପୁର ପାର୍ଶ୍ୱରେ ମୃତଦେହ ମିଳିଥିଲା। ଆସାମ ପୋଲିସର ଅନ୍ୟ ଏକ ସୂଚନା ଅନୁଯାୟୀ, ତିନି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସିଲଚର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଅଣାଯାଇଛି ଏବଂ ସେମାନଙ୍କ ପରିଚୟ ଜଣାପଡିଛି। ମୃତଦେହ ଚିହ୍ନଟ ନହେବା ପର୍ଯ୍ୟନ୍ତ ଏହି ୩ଟି ମୃତଦେହ ନିଖୋଜ ଲୋକଙ୍କ ବୋଲି କୁହାଯାଇପାରିବ ନାହିଁ ବୋଲି ପୁଲିସ କହିଛି।