
ମାର୍ଚ୍ଚ ୧୦ରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି ହେବ
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ ସିବିଆଇ କୋର୍ଟ। ମାର୍ଚ୍ଚ ୧୦ତାରିଖ ଅପରାହ୍ନ ୨ଟାରେ ଏହି ମାମଲାର ଶୁଣାଣି ହେବ ବୋଲି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପକ୍ଷରୁ କୁହାଯାଇଛି। ସ୍ୱତନ୍ତ୍ର ସିବିଆଇ କୋର୍ଟ ଏମ.କେ ନାଗପାଲଙ୍କ କୋର୍ଟରେ ମନୀଷ ସିସୋଦିଆଙ୍କ ପକ୍ଷରୁ ହାଜର ହୋଇଥିଲେ ବରିଷ୍ଠ ଓକିଲ ଦୟନନକ୍ରିଷ୍ଣନ୍ ଏବଂ ସିଦ୍ଧାର୍ଥ ଅଗ୍ରୱାଲ ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବର୍ତ୍ତମାନ ସିବିଆଇ ହେପାଜତରେ ଅଛନ୍ତି। ଜାତୀୟ ରାଜଧାନୀ ପାଇଁ ମଦ ନୀତି ପ୍ରସ୍ତୁତ କରିବାରେ ଦୁର୍ନୀତି କରିଥିବା ଅଭିଯୋଗର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ଏହି ମାମଲାରେ ଜାମିନ ନିମନ୍ତେ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ, ଏଥିରେ ହସ୍ତକ୍ଷେପ କରିବାକୁ ମନାକରି ନିମ୍ନ ଅଦାଲତରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ ସୁପ୍ରିମ୍ କୋର୍ଟ। ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକ୍ସେନା ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ଅବକାରୀ ନୀତି ବାତିଲ କରାଯାଇଥିଲା।