
ଲଦାଖର ସେଣ୍ଟ୍ରାଲ୍ ଜାମିୟା ମସଜିଦ୍ରେ ଭୟଙ୍କର ଅଗ୍ନିକାଣ୍ଡ
ନୂଆଦିଲ୍ଳୀ: ଲଦାଖର କାରଗିଲ ଜିଲ୍ଳା ଦ୍ରାସସ୍ଥିତ ସେଣ୍ଟ୍ରାଲ୍ ଜାମିୟା ମସଜିଦ୍ରେ ବୁଧବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ମସଜିଦ୍ ସଂପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ପରେ ସେନା, ପୋଲିସ୍ ଏବଂ ଅଗ୍ନିଶମ ବିଭାଗ ଏବଂ ଜରୁରୀକାଳୀନ ବିଭାଗ ଦ୍ବାରା ନିଆଁ ଉପରେ କାବୁ କରିଥିଲେ। ଅଗ୍ନିକାଣ୍ଡ ଯୋଗୁଁ ମସଜିଦ୍କୁ ବଡ଼ ମାତ୍ରାରେ କ୍ଷତି ସହିବାକୁ ପଡ଼ିଛି।
ସୂଚନା ଅନୁଯାୟୀ, ସନ୍ଧ୍ୟାରେ କୌଣସି କାରଣରୁ ମସଜିଦରେ ନିଆଁ ଲାଗିଥିଲା। ଆଉ ଦେଖୁ ଦେଖୁ ନିଆଁ ସଙ୍ଗେ ସଙ୍ଗେ ସଂପୂର୍ଣ୍ଣ ମସଜିଦରେ ଖେଳିଯାଇଥିଲା। ତେବେ ଘଟଣା ସଂପର୍କରେ ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ, ସ୍ଥାନୀୟ ଲୋକେ ଏବଂ ସେନା ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଏବେ ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରୁ ନିଆଁ କେତେ ଭୟାବହ ଥିଲା ତାହା ଅନୁମେୟ। ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଜଣାପଡ଼ିପାରିନାହିଁ। ସେପଟେ ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦମକଳ ବାହିନୀ ବିଳମ୍ବରେ ପହଞ୍ଚିଥିବାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି।