
ମଥୁରାରେ ଥିବା ଶାହି ଇଦଗା ମସଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ
ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଥିବା ଶାହି ଇଦଗା ମସଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ କୋର୍ଟ। ମସଜିଦଟି କୃଷ୍ଣ ଜନ୍ମଭୂମିରେ ତିଆରି ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କୃଷ୍ଣ ଜନ୍ମଭୂମି କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ମଥୁରା କୋର୍ଟ ଏହାର ଶୁଣାଣି କରି ଜାନୁଆରୀ ୨ରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ମସଜିଦ ମଧ୍ୟରେ ସର୍ଭେ କରି ରିପୋର୍ଟ ଦେବାକୁ କହିଛନ୍ତି। ଜାନୁଆରୀ ୨୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୦ରେ କରିବେ।
ଦକ୍ଷିଣପନ୍ଥୀ ସଂଗଠନ ହିନ୍ଦୁ ସେନାର ବିଷ୍ଣୁ ଗୁପ୍ତା ଗୋଟିଏ ଆବେଦନ ଦାଖଲ କରି ଜ୍ଞାନବ୍ୟାପୀ ମସଜିଦରେ ଯେଉଁଭଳି ସର୍ଭେ କରାଯାଇଥିଲା ଅନୁରୂପ ଭାବେ ଶାହି ଇଦଗାରେ ମଧ୍ୟ ସର୍ଭେ କରିବାକୁ ଦାବି କରିଥିଲେ। ହିନ୍ଦୁ ସଂଗଠନ ଦାବି କରିଛି ଯେ ୧୭ତମ ଶତାବ୍ଦୀର ଶାହି ଇଦଗା ମସଜିଦ କୃଷ୍ଣ ଜନ୍ମଭୂମି ଉପରେ ରହିଛି। ତେଣୁ ଏହାକୁ କତ୍ରା କେଶବ ଦେବ ମନ୍ଦିର ନିକଟରୁ ହଟାଯାଉ।
ବିଷ୍ଣୁ ଗୁପ୍ତା ତାଙ୍କ ଆବେଦନରେ କହିଥିଲେ ଯେ ୧୬୬୯-୭୦ରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ନିର୍ଦ୍ଦେଶରେ ଶାହି ଇଦଗା ମସଜିଦ କୃଷ୍ଣ ଜନ୍ମଭୂମି ଉପରେ ତିଆରି କରାଯାଇଥିଲା। କତ୍ରା କେଶବ ଦେବ ମନ୍ଦିର ପରିସରରେ ଥିବା ୧୩.୩୭ ଏକର ଜମିରେ ମସଜିଦ ତିଆରି କରାଯାଇଥିବା ସେ ଦାବି କରିଛନ୍ତି।
ଗୁପ୍ତାଙ୍କ ଓକିଲ ଶୈଳଶ ଦୁବେ କହିଛନ୍ତି, “ଡିସେମ୍ବର ୮ରେ ହିନ୍ଦୁ ସେନାର ଜାତୀୟ ସଭାପତି ଗୁପ୍ତା ଓ ଏହାର ଉପ ସଭାପତି ସୁରଜିତ ସିଂହ ଯାଦବ କୋର୍ଟରେ ଏପରି ଦାବି କରିଛନ୍ତି। ସେ କୋର୍ଟରେ ଭଗବାନ କୃଷ୍ଣଙ୍କ ଜନ୍ମ ଠାରୁ ମନ୍ଦିର ନିର୍ମାଣ ଯାଏ ଇତିହାସ ଦାଖଲ କରିଛନ୍ତି।
ଏଥିସହ ୧୮୯୬ରେ ଶ୍ରୀ କୃଷ୍ଣ ଜନ୍ମସଂସ୍ଥାନ ସେବା ସଂଘ ବନାମ ଶାହି ଇଦଗା ମଧ୍ୟରେ ହୋଇଥିବା ବୁଝାମଣାକୁ ମଧ୍ୟ ବେଆଇନ କହି ଖାରଜ କରିବାକୁ କହିଛନ୍ତି।”
ପ୍ରଥମେ ମଥୁରା କୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରିଥିଲେ। ହେଲେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଥୁରା କୋର୍ଟ ଏହାର ଶୁଣାଣି କରି ଜାନୁଆରୀ ୨ରୁ ସର୍ଭେ ପାଇ କହିଛନ୍ତି।