ବିଜେବି ମାଡ଼ମରା ଘଟଣାରେ କାର୍ଯ୍ୟାନୁଷ୍ଠାନ: ୪ ଛାତ୍ରଙ୍କୁ ସସପେଣ୍ଡ କଲେ କଲେଜ କର୍ତ୍ତୃପକ୍ଷ

ଭୁବନେଶ୍ୱର: ରାଜଧାନୀର ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ କଲେଜରେ ଘଟିଥିବା ମାଡ଼ମରା ଘଟଣାରେ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ମାଡ଼ ମାରିଥିବା ୪ ଛାତ୍ରଙ୍କୁ କଲେଜରୁ ସସପେଣ୍ଡ କରାଯାଇଛି । ଯୁକ୍ତଦୁଇ ବିଜ୍ଞାନର ଜଣେ ଛାତ୍ରଙ୍କୁ ମାଡ଼ ମାରିବା ଅଭିଯୋଗରେ ଏମାନଙ୍କୁ ନିଲମ୍ବିତ କରିଛନ୍ତି ବିଜେବି କଲେଜ କର୍ତ୍ତୃପକ୍ଷ । ନିଲମ୍ବିତ କୌଣସି ଛାତ୍ର ପରୀକ୍ଷା ନ ସରିବା ପର୍ଯ୍ୟନ୍ତ କ୍ୟାମ୍ପସ ଭିତରକୁ ପ୍ରବେଶ କରିପାରିବେ ନାହିଁ । ଏ ବାବଦରେ କଲେଜ ପରିସରରେ ନୋଟିସ୍ ମରାଯାଇଥିବା ଜଣାପଡ଼ିଛି ।

ପ୍ରେମ ବ୍ୟାପାରକୁ ନେଇ ଗତକାଲି କଲେଜ ପରିସରରେ ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳିଥିଲା । ଜଣେ ଛାତ୍ରଙ୍କୁ କିଛି ଛାତ୍ର ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ମାଡ଼ ମରାଯିବା ସହିତ ଉକ୍ତ ଛାତ୍ରଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରାଯାଉଥିବା ଦେଖିବାକୁ ମିଳିଥିଲା । ଯୁକ୍ତଦୁଇ ଦ୍ୱିତୀୟ ବର୍ଷର କିଛି ଛାତ୍ର ଏକତ୍ର ହୋଇ ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ । ଏହାପରେ ଗୁରୁତର ଛାତ୍ରଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଖବର ମୁତାବକ, ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମ ବର୍ଷର ଜଣେ ଛାତ୍ର ତାଙ୍କର ପିଲାଦିନର ବାନ୍ଧବୀଙ୍କ ସହିତ ମିଳାମିଶା କରନ୍ତି । ତେବେ କଲେଜର କିଛି ସିନିୟର ଛାତ୍ର ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ । ତେଣୁ ସେମାନେ ଉକ୍ତ ଛାତ୍ରଙ୍କୁ ତାଙ୍କ ବାନ୍ଧବୀଙ୍କ ସହିତ ନ ମିଶିବା ପାଇଁ ତାଗିଦ୍ କରିଥିଲେ । ଏପରିକି ଛାତ୍ରଙ୍କ ଚଷମାକୁ ମଧ୍ୟ ଫିଙ୍ଗି ଦେଇଥିଲେ । ଏ ବାବଦରେ ଉକ୍ତ ଛାତ୍ର ଜଣଙ୍କ ଯୁକ୍ତ ୩ର କିଛି ସମ୍ପର୍କୀୟଙ୍କୁ ଜଣାଇଥିଲେ । ଏହାପରେ ଉକ୍ତ ସିନିୟର ଛାତ୍ରମାନେ ପ୍ରତିହିଂସା ପରାୟଣ ହୋଇ ଯୁକ୍ତ ଦୁଇ ଛାତ୍ରଙ୍କୁ ବିଧା, ଗୋଇଠା ମାରିଚାଲିଥିଲେ । ଏହି ଘଟଣାକୁ କଲେଜ ପରିସରରେ କେହି ରୋକିନଥିଲେ । ପରେ ପୋଲିସ ୪ ଜଣ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରିଥିଲା ।

Related Articles

Back to top button