ତୁର୍କୀରେ ଭୂକମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ସୋମବାର ତୁର୍କୀରେ ୭.୮ ତୀବ୍ରତାଯୁକ୍ତ ଏକ ଭୂକମ୍ପ ଘଟିଛି ଯେଉଁଥିରେ ଏପର୍ଯ୍ୟନ୍ତ ୩୬୦ ଜଣଙ୍କର ମୃତ୍ୟୁ ଘଟିଛି। ହଜାର ହଜାର ଲୋକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତୁର୍କୀରେ ହୋଇଥିବା ଏହି ଭୂକମ୍ପକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ତୁର୍କୀରେ ହୋଇଥିବା ଭୂକମ୍ପ ଯୋଗୁଁ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥିବାରୁ ମୁଁ ଗଭୀର ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହିତ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ତୁର୍କୀବାସୀଙ୍କ ସହିତ ଏହି ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଠିଆ ହୋଇଛି ଏବଂ ଏହି ଦୁର୍ଘଟଣାର ମୁକାବିଲା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି। ଏହା ସହିତ ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟସ୍ତରର ସହାୟତା ଲାଗି ପୃଥିବୀର ସମସ୍ତ ଦେଶଙ୍କୁ ଆହ୍ବାନ ଦେଇଛନ୍ତି।

ବେଙ୍ଗାଲୁରୁରେ ଅନୁଷ୍ଠିତ ହେଉଥିବା ଭାରତ ଶକ୍ତି ସପ୍ତାହ ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ତୁର୍କୀରେ ହୋଇଥିବା ଭୂକମ୍ପକୁ ନେଇ ଏଭଳି କହିଛନ୍ତି। ଭାରତରେ ୧୪୦କୋଟି ଲୋକଙ୍କ ସହାନୁଭୂତି ସମସ୍ତ ଭୂକମ୍ପ ପ୍ରଭାବିତ ଲୋକଙ୍କ ସହ ରହିଛି।

ସୂଚନାଯୋଗ୍ୟ,ଭୂମିକମ୍ପ ଯୋଗୁଁ ଦକ୍ଷିଣ ପୂର୍ବ ତୁର୍କୀ ସମେତ ସିରିଆରେ ଏକ ବଡ଼ କ୍ଷତି ହୋଇଛି ।
ଏହି ଭୂକମ୍ପର କେନ୍ଦ୍ର ସିରିଆ ସୀମାଠାରୁ ୯୦ କିଲୋମିଟର ଦୂରରେ ଥିବା ତୁର୍କୀ ଗାଡିଏଣ୍ଟେପେରେ ଥିଲା। ଏହି କାରଣରୁ, ସିରିଆର ଅନେକ ସହରରେ ମଧ୍ୟ ଭୂକମ୍ପରେ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା। ତୁର୍କୀରେ ଭୋର ୪ କ୍ଷା ୧୭ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୃଗର୍ଭର ୧୭.୯ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ର ଥିଲା। ଏହି ଭୟଙ୍କର ଭୂକମ୍ପ ଯୋଗୁଁ ଅନେକ ଅଟ୍ଟାଳିକା ଭୁଶୁଡି ପଡିଥିଲା ଏବଂ ଚାରିଆଡେ ଲୋକଙକ୍କ କାନ୍ଦ ବୋବାଳି ପଡ଼ିଥିଲା।

ଭୂକମ୍ପ ସମ୍ପର୍କରେ ସୂଚନା ଦେଇ ତୁର୍କୀ ରାଷ୍ଟ୍ରପତି ରାଜାବ ତାଇୟାବ ଏର୍ଦୋଗନ ଟୁଇଟ କରି କହିଛନ୍ତି ଯେ ପ୍ରଭାବିତ ଅଞ୍ଚଳରେ ଶୀଘ୍ର ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଭୂକମ୍ପ ସମୟରେ ଲୋକମାନେ ପ୍ରାୟ ୬ ଥର କମ୍ପନ ଅନୁଭବ କରିଥିଲେ। ପ୍ରଭାବିତ ଅଞ୍ଚଳରେ ପ୍ରବେଶ ନ କରିବାକୁ ରାଷ୍ଟ୍ରପତି ଲୋକଙ୍କୁ ଅପିଲ କରିଛନ୍ତି।

Related Articles

Back to top button