ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ନୂଆ ଆହ୍ୱାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୨୦ତମ ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ରବିବାର ଚୈତ୍ର ଶୁକ୍ଳ ପ୍ରତିପଦା ଭାରତୀୟ ନବବର୍ଷ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହିନ୍ଦୁ ନବବର୍ଷ ସହିତ ଆଜିଠାରୁ ବିକ୍ରମ ସମ୍ବତ୍ସର ୨୦୮୨ ଆରମ୍ଭ ହେଇଛି। ଏହା ସହିତ ଚୈତ୍ର ନବରାତ୍ର ଆରମ୍ଭ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆମ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଆଜି ଏବଂ ଆଗାମୀ କିଛିଦିନ ମଧ୍ୟରେ ନୂତନ ବର୍ଷ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ରାଜ୍ୟର ଲୋକ ବିଭିନ୍ନ ଭାଷାରେ ତାଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ପଠାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥର ‘ମନ୍ କି ବାତ୍’ରେ ମୋଦୀ ଏକ ନୂଆ ଆହ୍ୱାନ ସମ୍ପର୍କରେ କହିଛନ୍ତି ଯାହା ଆମ ସମସ୍ତଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ। ଏହି ଆହ୍ୱାନ ହେଉଛି ବୟନ ବର୍ଜ୍ୟ। ବାସ୍ତବରେ ‘ଟେକ୍ସଟାଇଲ ୱେଷ୍ଟ’ ସାରା ବିଶ୍ୱ ପାଇଁ ଏବେ ଗୋଟିଏ ନୂତନ ଚିନ୍ତାର କାରଣ ହୋଇପଡ଼ିଛି। ଆଜିକାଲି ସାରା ବିଶ୍ୱରେ ପୁରୁଣା କପଡ଼ାକୁ ଯଥାଶୀଘ୍ର ହଟାଇ ନୂଆ କପଡ଼ା କିଣିବାର ଚଳଣି ବଢ଼ୁଛି। ଆପଣ କେବେ ଭାବିଛନ୍ତି କି ଯେଉଁ ପୁରୁଣା କପଡ଼ାଗୁଡ଼ିକୁ ଆପଣ ପିନ୍ଧିବା ଛାଡ଼ିଦେଉଛନ୍ତି ସେଗୁଡ଼ିକ କ’ଣ ହେଉଛି? ଏଗୁଡ଼ିକ ହିଁ ‘ଟେକ୍ସଟାଇଲ ୱେଷ୍ଟ’ରେ ପରିଣତ ହେଉଛି। ଗୋଟିଏ ଅନୁସନ୍ଧାନରୁ ଜାଣିବାକୁ ମିଳିଛି ଯେ ମାତ୍ର ଏକ ପ୍ରତିଶତରୁ ବି କମ୍ ‘ଟେକ୍ସଟାଇଲ ୱେଷ୍ଟ’କୁ ନୂଆ କପଡ଼ାରେ ପୁନଃବ୍ୟବହାରଯୋଗ୍ୟ କରାଯାଉଛି। ଭାରତ ଦୁନିଆର ତୃତୀୟ ଦେଶ ଯେଉଁଠି ସବୁଠାରୁ ଅଧିକ କପଡ଼ା ଆବର୍ଜନା ବାହାରୁଛି। ‘ଟେକ୍ସଟାଇଲ ୱେଷ୍ଟ’କୁ ପୁନଃବ୍ୟବହାରଯୋଗ୍ୟ ପୂର୍ବକ ଗରିବଙ୍କ ପାଖରେ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଅନେକ ଯୁବ ବନ୍ଧୁମାନେ ‘ଟେକ୍ସଟାଇଲ ୱେଷ୍ଟ’କୁ ଫ୍ୟାଶନର ରୂପ ଦେବାର ଚେଷ୍ଟାରେ ଲାଗିଛନ୍ତି। ସେମାନେ ପୁରୁଣା କପଡ଼ା ଏବଂ ଜୋତା-ଚପଲ ଆଦିକୁ ପୁନଃବ୍ୟବହାରଯୋଗ୍ୟ କରି ଗରିବଙ୍କ ପାଖରେ ପହଞ୍ଚାଉଛନ୍ତି। କପଡ଼ା ଆବର୍ଜନାରୁ ସାଜସଜ୍ଜାର ଜିନିଷ, ହ୍ୟାଣ୍ଡବ୍ୟାଗ୍, ପ୍ରସାଧନ ସାମଗ୍ରୀ ଏବଂ ଖେଳନା ଭଳି ଅନେକ ଜିନିଷ ତିଆରି କରାଯାଉଛି।

ପ୍ରଧାନମନ୍ତ୍ରୀ ଆଗାମୀ ଗ୍ରୀଷ୍ମ ଅବକାଶରେ ପିଲାମାନଙ୍କୁ କିଛି ନୂଆ ସଉକ ବା ହବିକୁ ଆପଣେଇବା ସହ ନିଜର କଳାକୌଶଳକୁ ଆହୁରି ଉନ୍ନତ କରିବା ଲାଗି କହିଛନ୍ତି। ଏବେ ପିଲାମାନଙ୍କ ପାଇଁ ଏଭଳି ପ୍ଲାଟଫର୍ମର ଅଭାବ ନାହିଁ, ଯେଉଁଠି ସେମାନେ ବହୁତ କିଛି ଶିଖିପାରିବେ। ଯେମିତିକି କୌଣସି ସଂସ୍ଥା କାରିଗରୀ କୌଶଳ ସମ୍ପର୍କୀୟ ଶିବିର ଆୟୋଜନ କରୁଥିବ। ପିଲାମାନେ ସେଠାରେ ଆପ୍ ପ୍ରସ୍ତୁତ କରିବା ସହ ଓପେନ୍ ସୋର୍ସ ସଫ୍ଟୱେୟାର ବିଷୟରେ ଜାଣିପାରିବେ। କେଉଁଠି ପରିବେଶ କଥା ହେଉ, ମଞ୍ଚ ନାଟକ ହେଉ, ଲିଡରସିପ୍ କଥା ହେଉ, ଏମିତି ବିଭିନ୍ନ ବିଷୟର ପାଠ୍ୟକ୍ରମ ଆୟୋଜିତ ହୋଇଥାଏ। ପିଲାମାନେ ଏଥିରେ ଯୋଗ ଦେଇ ନିଜର ନୂଆ ହବି ବା ସଉକକୁ ବିକାଶ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ସହିତ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଂସ୍ଥା, ବିଦ୍ୟାଳୟ, ସାମାଜିକ ସଂସ୍ଥା କିମ୍ବା ବିଜ୍ଞାନ କେନ୍ଦ୍ରଗୁଡିକ ସେମାନଙ୍କ କାର୍ଯ୍ୟକ୍ରମକୁ #MyHolidaysରେ ସେୟାର କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମନ କି ବାତ୍‌ରେ ଜଳ ସଂରକ୍ଷଣ, ଜଳ ସଞ୍ଚୟ, ଜଳ ଅମଳ (କ୍ୟାଚ ଦି ରେନ୍‌) ଅଭିଯାନ ସମ୍ପର୍କରେ କହିଛନ୍ତି। ଏହି ଅଭିଯାନ ସରକାରଙ୍କର ନୁହେଁ, ବରଂ ଏହା ସମାଜର, ଜନସାଧାରଣଙ୍କର। ଜଳ ସଂରକ୍ଷଣ ସହ ଅଧିକରୁ ଅଧିକ ଲୋକଙ୍କୁ ସମ୍ପୃକ୍ତ କରିବା ପାଇଁ, ଜଳସଂଚୟ ଜନ-ଭାଗୀଦାରି ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି। ଏଥିରୁ ଯେଉଁ ପ୍ରାକୃତିକ ସମ୍ବଳ ଆମକୁ ମିଳିଛି, ସେଗୁଡ଼ିକୁ ଆଗାମୀ ପିଢ଼ିକୁ ସୁରକ୍ଷିତ ଭାବେ ହସ୍ତାନ୍ତର କରିବା ହିଁ ଏହାର ଏକମାତ୍ର ଉଦ୍ଦେଶ୍ୟ। ଗ୍ରୀଷ୍ମଋତୁରେ ନିଜ ଘର ସାମ୍ନାରେ ମାଠିଆରେ ଥଣ୍ଡା ପାଣି ରଖିବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ଘରର ଛାତ କିମ୍ବା ବାରଣ୍ଡାରେ ପକ୍ଷୀମାନଙ୍କ ପାଇଁ ମଧ୍ୟ ପାଣି ରଖିବାକୁ ସେ କହିଛନ୍ତି। ଏହା ଏକ ପୁଣ୍ୟକାମ ଏଥିରେ ଆପଣକୁ ନିଶ୍ଚିତ ଆନନ୍ଦ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related Articles

Back to top button