ମୋହାଲି ଏମଏମଏସ ମାମଲା: ହଟିଲେ ୱାର୍ଡନ, ୬ ଦିନ ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ

ମୋହାଲି: ଚଣ୍ଡିଗଡ଼ର ଏକ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ବିରୋଧ ପ୍ରଦର୍ଶନ ରବିବାର ବିଳମ୍ବିତ ରାତିରେ ଶେଷ ହୋଇଛି । ଛାତ୍ରଙ୍କ ଦାବି ପୂରଣ ହେବାରୁ ବିରୋଧ ପ୍ରଦର୍ଶନ ଶେଷ ହୋଇଛି । ଡିସି ଓ ଆଇଜିଙ୍କ ଉପସ୍ଥିତିରେ ସମସ୍ତ ଦାବିକୁ ମାନି ନିଆଯାଇଛି । ଏହାସହ ବିରୋଧ ପ୍ରଦର୍ଶନ କରିଥିବା ଛାତ୍ରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି କୁହାଯାଇଛି । ପୁଣି ହଷ୍ଟେଲ ୱାର୍ଡନଙ୍କୁ ମଧ୍ୟ ବଦଳାଇ ଦିଆଯିବ ।
ଗଣମାଧ୍ୟମର ସୂଚନା ଅନୁଯାୟୀ, ୟୁନିଭର୍ସିଟିକୁ ୬ ଦିନ ପାଇଁ ବନ୍ଦ କରି ଦିଆଯାଇଛି । ହଷ୍ଟେଲର ଟାଇମିଂ ବଦଳି ଯାଇଛି । ଏବେ ବିଦ୍ୟାର୍ଥୀମାନେ କ୍ୟାମ୍ପସ ଛାଡୁଥିବା ଦେଖାଯାଇଛି । ଆହୁରି ମଧ୍ୟ ଛାତ୍ରୀଙ୍କୁ ହଷ୍ଟେଲରେ ପୋଷାକ ଉପରେ କୌଣସି କଟକଣା ରହିବ ନାହିଁ । ଏହି ମାମଲାରେ ଏବେ ପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରାଯାଇଛି । ଭିଡିଓ କରୁଥିବା ଛାତ୍ରୀ, ତାଙ୍କ ବୟଫ୍ରେଣ୍ଡ ଓ ତାଙ୍କର ଜଣେ ବନ୍ଧୁଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ, ଚଣ୍ଡିଗଡ଼ ୟୁନିଭର୍ସିଟିରେ କେତେଜଣ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଭାଇରାଲ ହେବା ପରେ ଏହି ଖବର ପ୍ରଚାର ପ୍ରସାର ହୋଇଯାଇଥିଲା । ଏହା ଜଣାପଡିବା ପରେ ଶନିବାର ରାତିରେ ବିଦ୍ୟାର୍ଥୀମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏମାନଙ୍କୁ ହଟାଇବାକୁ ଚେଷ୍ଟା କରିଥିବା ପୋଲିସ ସହ ବି ଏମାନେ ମୁହାଁମୁହିଁ ହୋଇଥିଲେ । ଅଭିଯୋଗ ହୋଇଥିଲା କି ଏହି ଘଟଣା ପରେ ଯେଉଁମାନଙ୍କର ଭିଡିଓ ଭାଇରାଲ ହୋଇଥିଲା ସେମାନଙ୍କ ମଧ୍ୟରୁ କେତେଜଣ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହେଲେ ପୋଲିସ ଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା ।

Related Articles

Back to top button