ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା ମଦର ଡାଏରୀ କ୍ଷୀର
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସାଧାରଣ ଜନତାଙ୍କୁ ଦରବୃଦ୍ଧି ମୋର୍ଚ୍ଚାରେ ଲାଗିଛି ଆଉ ଏକ ଝଟକା। ଅମୂଲ ପରେ ମଦର ଡାଏରୀ ବି କ୍ଷୀରର ଦାମ ବଢାଇଛି। ଦିଲ୍ଲୀ-ଏନସିଆରରେ କ୍ଷୀରର ସର୍ବାଧିକ ଯୋଗାଣ କରୁଥିବା ଦୁଗ୍ଧ କମ୍ପାନି ମଦର ଡାଏରୀ ଫୁଲ୍ କ୍ରିମ କ୍ଷୀର ଏବଂ ଗାଈ କ୍ଷୀରର ଦାମରେ ଲିଟର ପିଛା ୨ ଟଙ୍କା ବଢାଇଛି।
ମଦର ଡାଏରୀ କହିଛି, ଦାମ ବୃଦ୍ଧି କଞ୍ଚାମାଲର ମୂଲ୍ୟବୃଦ୍ଧି କାରଣରୁ ନିଆଯାଇଛି। ଫୁଲ୍ କ୍ରିମ କ୍ଷୀରର ଲିଟର ପିଛା ଦାମ ୬୧ ଟଙ୍କାରୁ ବଢି ୬୩ ଟଙ୍କା ହୋଇଛି। ଗାଈ କ୍ଷୀର ଦାମ ଲିଟର ପିଛା ୫୩ ଟଙ୍କାରୁ ବଢି ୫୫ ଟଙ୍କା ହୋଇଛି। ଦିଲ୍ଲୀ-ଏନସିଆର ଏବଂ ଉତ୍ତର ଭାରତର କିଛି ଅନ୍ୟ ବଜାରରେ କ୍ଷୀର ଦାମ ବୃଦ୍ଧି କରାଯାଇଛି। ଆସନ୍ତାକାଲି ସକାଳୁ ଏହି ବର୍ଦ୍ଧିତ ଦର ଲାଗୁ ହେବ।
ଏହାକୁ ମିଶାଇ ମଦର ଡାଏରୀ ତୃତୀୟ ଥର ଦାମ ବୃଦ୍ଧି କରିଛି। ମାର୍ଚ୍ଚରେ ଦିଲ୍ଲୀ-ଏନସିଆରରେ କ୍ଷୀରର ଦାମରେ ଲିଟର ପ୍ରତି ଦୁଇ ଟଙ୍କା ବୃଦ୍ଧି କରାଯାଇଥିଲା। ଏହା ପରେ ଅଗଷ୍ଟ ମାସରେ ପୁଣି ଥରେ ଲିଟର ପିଛା ୨ ଟଙ୍କା ବଢା ଯାଇଥିଲା।
ଏହା ପୂର୍ବରୁ ଅମୂଲ ବ୍ରାଣ୍ଡ ଉତ୍ପାଦ ବିକ୍ରି କରୁଥିବା ଜିସିଏମଏମଏଫ ଅମୁଲ ଗୋଲ୍ଡ ଏବଂ ମଇଁଷି କ୍ଷୀର ମୂଲ୍ୟରେ ଲିଟର ପିଛା ଦୁଇ ଟଙ୍କା ବଢାଇଥିବା ଘୋଷଣା କରିଥିଲା। ଗୁଜରାଟ ସରକାରୀ ଦୁଗ୍ଧ ବିପଣନ ମହାସଙ୍ଘର ମହା ପ୍ରବନ୍ଧକ ଆରଏସ ସୋଢି ଅମୁଲ ଦୁଗ୍ମ ଉତ୍ପାଦର ଦାମ ଦୁଇ ଟଙ୍କା ବଢାଇଥିଲେ। ଏହି ମୂଲ୍ୟ ବୃଦ୍ଧି ଗୁଜରାଟକୁ ବାଦ୍ ଦେଲେ ଦେଶର ସବୁ ଭାଗରେ ଲାଗୁ କରାଯାଇଛି।