ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାଁ ବଦଳି ହେଲା ଅମୃତ ଉଦ୍ୟାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନ ଏବେ ଅମୃତ ଉଦ୍ୟାନ ନାଁରେ ପରିଚିତ ହେବ । ୧୫ ଏକରରୁ ଅଧିକ ଜମିରେ ତିଆରି ଏହି ଉଦ୍ୟାନ ବ୍ରିଟିଶ ଶାସନ କାଳରେ ତିଆରି ହୋଇଥିଲା। କୁହାଯାଏ, ମୋଗଲ ଗାର୍ଡେନ ହେଉଛି ରାଷ୍ଟ୍ରପତି ଭବନର ଆତ୍ମା। ଏହି ଗାର୍ଡେନଟି ସ୍ୱତନ୍ତ୍ର କିସମର ଗୋଲାପ ଓ ଟ୍ୟୁଲିପ ପାଇଁ ଜଣାଶୁଣା । ମୋଗଲ ଗାର୍ଡେନକୁ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସାଧାରଣ ଲୋକଙ୍କ ପାଇଁ ଖୋଲିଥିବା ବେଳେ ଏହାକୁ ସାର୍ ଏଡୱାର୍ଡ ଲୁଟିନ୍ସ ଡିଜାଇନ୍ କରିଥିଲେ।

ସ୍ୱାଧୀନତାର ଅମୃତ ମହୋତ୍ସବକୁ ଦୃଷ୍ଟିରେ ରଖି ଆଜି ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରାଯାଇ ଅମୃତ ଉଦ୍ୟାନ ରଖାଯାଇଛି। ଏ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଟୁଇଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି।

ଏହି ଗାର୍ଡେନ ଏହାର ସୌନ୍ଦର୍ଯ୍ୟ ପାଇଁ ଖୁବ୍ ପ୍ରସିଦ୍ଧ। ଏହାକୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି। ଏଠାରେ ପ୍ରାୟ୧୩୮ ପ୍ରକାରର ଗୋଲାପ, ୧୦,୦୦୦ରୁ ଅଧିକ ଟ୍ୟୁଲିପ ଏବଂ ୭୦ଟି ପ୍ରଜାତିର ପ୍ରାୟ ୫୦୦୦ ଋତୁକାଳୀନ ଫୁଲ ରହିଛି। ସେବେଠାରୁ ଏହା ପ୍ରତିବର୍ଷ ବସନ୍ତ ଋତୁରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥାଏ ।

ଏହି ଗାର୍ଡେନ ସକାଳ ୧୦ରୁ ୪ ଟା ପର୍ଯ୍ୟନ୍ତ ଖୋଲା ରହିବା ସହ ସକାଳ ୧୦ରୁ ଦିନ ୧୨ଟା ପର୍ଯ୍ୟନ୍ତ ୭,୫୦୦ ଲୋକଙ୍କ ପାଇଁ ଟିକେଟ ଦିଆଯିବ। ଏହା ପରେ, ପୁନର୍ବାର ୧୦,୦୦୦ଲୋକଙ୍କୁ ଅପରାହ୍ନ ୧୨ ରୁ ୪ଟା ପର୍ଯ୍ୟନ୍ତ ବଗିଚା ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ।

Related Articles

Back to top button