
ବନ୍ଦେଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ: ମଇଁଷି ଗୋଠ ସହ ଧକ୍କା ଲାଗି ଟ୍ରେନର ସମ୍ମୁଖ ଭାଗ ନଷ୍ଟ
ଅହମ୍ମଦାବାଦ: ବନ୍ଦେଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ୧୮ମିନିଟରେ ହୋଇଥିବା ଏହି ଦୁର୍ଘଟଣାରେ ଟ୍ରେନ ମଇଁଷି ଗୋଠ ସହ ଧକ୍କା ଲାଗିଥିଲା। ଦୁର୍ଘଟଣା ଯୋଗୁ ଟ୍ରେନ ୨୦ ମିନିଟ ଅଟକି ରହିବା ପରେ ପୁଣି ଗନ୍ତବ୍ୟ ଉଦ୍ଦେଶ୍ୟରେ ବାହାରି ଯାଇଛି। ଟ୍ରେନ ମୁମ୍ବାଇରୁ ଅହମ୍ମଦାବାଦ ଯିବା ରସ୍ତାରେ ୱଟୱା ଓ ମଣିନଗର ଷ୍ଟେସନ ନିକଟରେ ଦୁର୍ଘଟଣା ହୋଇଥିଲା।
ଅହମ୍ମଦାବାଦ ରେଳବାଇ ପିଆରଓ ଜିତେନ୍ଦ୍ର ଜୟନ୍ତଙ୍କ ଅନୁସାରେ ଏହି ବନ୍ଦେ ଭାରତ ଟ୍ରେନକୁ ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ସବୁଜ ପତାକା ଦେଖାଯାଇଥିଲା। ଟ୍ରେନଟି ଘଣ୍ଟାପ୍ରତି ୧୮୦ରୁ ୨୦୦ କିଲୋମିଟର ବେଗରେ ଯାତ୍ରା କରୁଛି। ଏହା ଭାରତର ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ଏହା ପୂର୍ବରୁ ନୂଆଦିଲ୍ଲୀ-ବାରଣାସୀ ଓ ନୂଆଦିଲ୍ଲୀ-କଟରା ମଧ୍ୟରେ ଏହିଟ୍ରେନ ଚଳାଚଳା କରୁଛି। ତେବେ ଏହି ବନ୍ଦେ ଭାରତ ଟ୍ରେନଟି ଗାନ୍ଧି ନଗରରୁ ଅହମ୍ମଦାବାଦ ହୋଇ ମୁମ୍ବାଇ ଯାଉଛି।
ରେଲୱେ ବୋର୍ଡ ସାରା ଦେଶରେ ୪୦୦ ସେମି ହାଇସ୍ପିଡ ବନ୍ଦେଭାରତ ଏକ୍ସପ୍ରେସ୍ ଚଳାଇବାକୁ ଯୋଜନା ରଖିଛନ୍ତି। ଏହି ଟ୍ରେନରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ଏଥିରେ ଜିପିଏସ୍ ଆଧାରିତ ଇନଫର୍ମେସନ ସିଷ୍ଟମ, ସିସିଟିଭି କ୍ୟାମେରା, ଭ୍ୟାକୁମ ଆଧାରିତ ବାୟୋ ଟୟଲେଟ୍, ଅଟୋମେଟିକ ସ୍ଲାଇଡିଂ ଡୋର ଓ ପ୍ରତି କୋଚ୍ରେ ୪ଟି ଜରୁରିକାଳୀନ ପୁସ୍ ବଟନ ରହିଛି।