
୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟ ଉପରେ ସର୍ବୋଚ୍ଚ ଅଦାଲତ ରୋକ ଲଗାଇଛନ୍ତି
୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟ ଉପରେ ସର୍ବୋଚ୍ଚ ଅଦାଲତ ରୋକ ଲଗାଇଛନ୍ତି । ୧୨ ଅଭିଯୁକ୍ତ ମୁକ୍ତ କରିବାକୁ ଆଦେଶ ଦେଇଥିବା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ ଜାଣିବାକୁ ଇଚ୍ଛା କରିଛନ୍ତି ୧୨ ଜଣ ଅଭିଯୁକ୍ତଙ୍କୁ ଛାଡ଼ି ଦିଆଯାଇଛି କି ନାହିଁ । ଯଦି ସେମାନଙ୍କୁ ଜେଲରୁ ମୁକ୍ତ କରାଯାଇଥିବା ତାହା ହେଲେ ସେମାନଙ୍କୁ ଆଉ ପୁନର୍ବାର ଗିରଫ କରାଯାଇ ପାରିବା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଗତ ସୋମବାର ମୁମ୍ବାଇ ହାଇକୋର୍ଟ ୧୧ ଜୁଲାଇ ୨୦୦୬ରେ ହୋଇଥିବା ବିସ୍ଫୋରଣରେ ବଡ଼ ନିଷ୍ପତ୍ତି ଶୁଣାଇଥିଲେ । ଉପଯୁକ୍ତ ପ୍ରମାଣ ଅଭାବରୁ ସମସ୍ତ ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ମୁକ୍ତ କରିଥିଲେ । ବିସ୍ଫୋରଣରେ କେଉଁ ପ୍ରକାର ବିସ୍ଫୋରକ ବ୍ୟବହାର କରାଯାଇଥିଲା ତାହାକୁ ପ୍ରମାଣ କରିବାରେ ପ୍ରସିକ୍ୟୁସନ୍ ବିଫଳ ହେବା ପରେ ହାଇକୋର୍ଟ ଏହା ରାୟ ଶୁଣାଇ ଥିଲେ । ବିଚାରପତି ଅନିଲ କିଲୋର ଏବଂ ବିଚାରପତି ଶ୍ୟାମ ଚଣ୍ଡକଙ୍କ ସ୍ୱତନ୍ତ୍ର ଖଣ୍ଡପୀଠ ମାମଲାରେ ଶୁଣାଣି କରିଥିଲେ । ଯାହାକୁ ବିରୋଧ କରି ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
୧୧ ଜୁଲାଇ ୨୦୦୬, ମୁମ୍ବାଇର ଏକାଧିକ ସ୍ଥାନରେ ବିସ୍ଫୋରଣ ହୋଇଥିଲା । ଖାର୍ ରୋଡ୍ ଓ ସାନ୍ତାକ୍ରୁଜ, ବ୍ରାନ୍ଦ୍ରା ଓ ଖାର ରୋଡ୍, ଯୋଗେଶ୍ୱରୀ ଓ ମାହିମ ଜଙ୍କସନ, ମୀରା ରୋଡ୍ ଓ ଭାୟଦର, ମତୁଙ୍ଗା ଓ ମହିମ ଜଙ୍ଗସନ ଏବଂ ବୋରି ଭଳି ସ୍ଥାନରେ ସନ୍ଧ୍ୟାରେ ସିରିଜ୍ ବିସ୍ଫୋରଣ ହୋଇଥିଲା । ଏହି ଆତଙ୍କବାଦୀ ଆକ୍ରମଣରେ ୧୮୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮୨୭ ଜଣ ଆହତ ହୋଇଥିଲେ । ୨୦୧୫, ଅଗଷ୍ଟ ୩୧ରେ ସ୍ୱତନ୍ତ୍ର ନିମ୍ନ ଅଦାଲତ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ । ଏହା ପରେ ସେହି ବର୍ଷ ସେପ୍ଟେମ୍ବରରେ ରାୟ ପ୍ରକାଶ ପାଇଥିଲା । କମଲ ଅନସାରୀ, ମହମ୍ମଜ ଫୈଜଲ ଅତାଉର ରେହମାନ ଶେଖ୍, ଏହତେଶାମ କୁତୁବୁଦ୍ଦିନ ସିଦ୍ଦିକି, ନାଭିଦ ହୁସେନ ଖାନ ଓ ଆସିଫ୍ ଖାନଙ୍କୁ ନିମ୍ନ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇ ଥିଲେ । ତେବେ ଅନସାରୀର ୨୦୨୧ରେ କୋଭିଡରେ ନାଗପୁର ଜେଲରେ ମୃତ୍ୟୁ ହୋଇଥିଲା ।
ତନବୀର ଅହମ୍ମଦ, ଇବ୍ରାହିମ ଅନସାରୀ, ମହମ୍ମଦ ସଫି, ଶେଖ ମହମ୍ମଜ ଅଲ୍ଲୀ ଆଲାମ ଶେଖ, ମହମ୍ମଦ ସାଜିଦ୍ ମାର୍ଗୁବ ଅନସାରୀ, ମୁଜାମ୍ମିଲ ଅତାଉର ରେହମାନ ଶେଖ, ସୁହେଲ ମେହମୁଦ ଶେଖ ଏବଂ ଜମିର ଅହମଦ ଲତିଉର ରେହମାନ ଶେଖଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ୱାହିତ ଶେଖଙ୍କୁ ନିମ୍ନ ଅଦାଲତ ୯ ବର୍ଷ ପରେ ମୁକ୍ତ କରିଥିଲେ । ୨୦୧୫, ଅଗଷ୍ଟ ୫ ରେ ମୃତ୍ୟୁ ଦଣ୍ଡାଦେଶକୁ ସୁନିଶ୍ଚିକ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅନ୍ୟପକ୍ଷରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।