
ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଗଣିତ ପରୀକ୍ଷାରେ ସର୍ବମୋଟ ୧୦୦ ମାର୍କଠୁ ଅଧିକ ୧୧୫ ମାର୍କ ରଖିଲେ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ପ୍ରଶାସନିକ ଅଧିକାରିଙ୍କ ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି। ଏହି କାରଣରୁ ଛାତ୍ରଛାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ଏମିତି ପ୍ରଥମଥର ଘଟିଛି ତାହା ନୁହେଁ , ପୂର୍ବରୁ ବି ଏମିତି ଘଟଣା ସାମ୍ନାକୁ ଆସିଛି।
ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଗୋଟିଏ ବିଷୟରେ ସର୍ବମୋଟ ଯେତିକି ମାର୍କ ଅଛି ତା’ଠାରୁ ଅଧିକ ମାର୍କ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଜଣାପଡ଼ିଛି। ଏମିତି କି ଅନେକ ଛାତ୍ର ଉପସ୍ଥିତ ଥାଇ ବି ସେମାନଙ୍କୁ ଅନୁପସ୍ଥିତ ଥିବା ସୂଚିତ କରାଯାଇଛି।
ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ବିଏସ୍ସି ଗଣିତର ୫ମ ସେମିଷ୍ଟର ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ୧୦୦ରୁ ୧୦୪ ଓ ୧୧୫ଅଙ୍କ ମିଳିଛି। ଏହି ପରୀକ୍ଷା ଗତବର୍ଷ ୨୦୨୨ ନଭେମ୍ବର ମାସରେ ଆୟାଜିତ ହୋଇଥିଲା। ଗତ ଶୁକ୍ରବାର ଏହାର ଫଳାଫଳ ପ୍ରକାଶ ପାଇଥିଲା। ଆଉ ଫଳାଫଳ ଆସିବା ପରେ ମାର୍କ ପ୍ରଦାନରେ ହୋଇଥିବା ଏଭଳି ତ୍ରୁଟି ସାମ୍ନାକୁ ଆସିଥିଲା।
ଏହି ଘଟଣାକୁ ନେଇ ଅଧିକାରୀମାନେ କହିଛନ୍ତି, ‘ବିଷୟରେ ଯେତିକି ସର୍ବମୋଟ ମାର୍କ ରହିଛି ତାହା ଠାରୁ ଅଧିକ ନମ୍ବର ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି। ଏହା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ତ୍ରୁଟି ହେତୁ ଘଟିଛି। ତେବେ ଏହି ଅସୁବିଧାର ଖୁବଶୀଘ୍ର ସଂଶୋଧନ କରାଯିବ।’
ସେହିପରି ଆଡମିଟ କାର୍ଡରେ ଛାତ୍ରଛାତ୍ରୀଙ୍କ ଫଟୋ ସ୍ଥାନରେ ଅଭିନେତା ଓ ଅଭିନେତ୍ରୀଙ୍କ ଫଟୋ ଥିବା ଦେଖିବାକୁ ମିଳିଥାଏ। ଏହି ଘଟଣାକୁ ନେଇ ଅଧିକାରୀମାନେ କହିଛନ୍ତି, ‘ପିଲାମାନେ ଅନଲାଇନରେ ଫଟୋ ଅପଲୋଡ କରିବା ସମୟରେ ଅଭିନେତା ଓ ଅଭିନେତ୍ରୀଙ୍କ ଫଟୋ ଅପଲୋଡ କରି ଦେଇଥାଆନ୍ତି। ଯେଉଁ କାରଣରୁ ଏଭଳି ତ୍ରୁଟି ସାମ୍ନାକୁ ଆସିଥାଏ।’