ହରିୟାଣାର ମୁଖ୍ୟମନ୍ତ୍ରୀ ପଦରେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି ନାଏବ ସିଂ ସୈନୀ

ନାଏବ ସିଂ ସୈନୀ ହରିୟାଣାର ମୁଖ୍ୟମନ୍ତ୍ରୀ ପଦରେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି । ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ସେ ମଞ୍ଚରେ ଉପସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରେ ପରେ ଅନିଲ ବିଜ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । କ୍ୟାବିନେଟରେ ଅନେକ ପୁରୁଖା ନେତା ଥିବା ବେଳେ କିଛି ଯୁବ ଚେହେରା ସାମିଲ । ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଶପଥ ସମାରୋହରେ ଏନଡିଏ ନେତାଙ୍କ ଏକଜୁଟତା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ୧୯ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ବିଜେପି ଏବଂ ସହଯୋଗୀ ଦଳ ଦ୍ୱାରା ଶାସିତ ରାଜ୍ୟର ୧୬ ଉପମୁଖ୍ୟମନ୍ତ୍ରୀ ମଧ୍ୟ ସମାରୋହରେ ସାମିଲ ହୋଇଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ୧୩ ଜଣ ମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି ।ସୂଚନାଯୋଗ୍ୟ, ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ନାଏବ ସିଂ ସୈନୀଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା । ଅନିଲ ବିଜ ଓ କୃଷ୍ଣ ଦେବୀ ତାଙ୍କ ନାମରେ ପ୍ରସ୍ତାବ ଦେଇଥିଲେ, ଯାହାକୁ ବିଧାୟକମାନେ ଧ୍ୱନିମତରେ ସ୍ୱୀକାର କରିଥିଲେ । ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପର୍ୟ୍ୟ ବେକ୍ଷକ ଭାବେ ଉପସ୍ଥିତ ଥିଲେ । ଅନିଲ ବିଜଙ୍କ ପକ୍ଷରୁ ନାଏବ ସିଂ ସୈନୀଙ୍କ ନାମରେ ପ୍ରସ୍ତାବ ରଖାଯିବା ଗୁରୁତ୍ୱପୂର୍ଣ୍ଣ ରହିଥିଲା କାରଣ ସେ ନିଜକୁ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ଦର୍ଶାଇଥିଲେ ।

Related Articles

Back to top button