ମହାରାଷ୍ଟ୍ରର ଔରଙ୍ଗାବାଦ ଏବଂ ଓସମାନାବାଦ ଜିଲ୍ଲାର ନାମ ବଦଳିଲା

ମୁମ୍ବାଇ: ମହାରାଷ୍ଟ୍ରର ଦୁଇଟି ଜିଲ୍ଲାର ନାମ ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ଔରଙ୍ଗାବାଦ ଜିଲ୍ଲାର ନାମ ଛତ୍ରପତି ସଂଭାଜୀନଗରରେ ପରିବର୍ତ୍ତନ କରିଥିବାବେଳେ ଏଥି ସହିତ ଓସମାନାବାଦକୁ ଧାରାଶିବ ନାମରେ ନାମିତ କରିବାକୁ ଅନୁମୋଦନ ମଧ୍ୟ ଦିଆଯାଇଛି। ପୂର୍ବରୁ ମହାରାଷ୍ଟ୍ର ସରକାର ନାମ ପରିବର୍ତ୍ତନ ପାଇଁ ଘୋଷଣା କରିଥିବାବେଳେ ବର୍ତ୍ତମାନ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାର ମଧ୍ୟ ଅନୁମୋଦନ କରିଛନ୍ତି। ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଟୁଇଟ୍ ରେ ଜିଲ୍ଲାର ନାମ ପରିବର୍ତ୍ତନକୁ ନେଇ ଦେବେନ୍ଦ୍ର ଫଡନାଭିସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ନାମରେ ଔରଙ୍ଗାବାଦର ନାମକରଣ ହୋଇଥିବାବେଳେ ଓସମାନାବାଦ ନାମ ହାଇଦ୍ରାବାଦର ବିଂଶ ଶତାବ୍ଦୀର ଶାସକଙ୍କ ନାମରେ ରଖାଯାଇଥିଲା । ତେବେ ବର୍ତ୍ତମାନ ଔରଙ୍ଗାବାଦ ଜିଲ୍ଲାର ନାମ ଛତ୍ରପତି ସଂଭାଜୀନଗରରେ ପରିବର୍ତ୍ତନ ହୋଇଛି | ଉଲ୍ଲେଖ ଥାଉ କି ସଂଭାଜୀ ରାଜେ, ଛତ୍ରପତି ଶିବାଜୀଙ୍କର ବଡ ପୁଅ ଥିଲେ ଓ ତାଙ୍କ ପିତାଙ୍କ ଦ୍ୱାରା ସ୍ଥାପିତ ମରାଠା ସାମ୍ରାଜ୍ୟର ଦ୍ଵିତୀୟ ଶାସକ ଥିଲେ | ୧୬୮୯ ମସିହାରେ ଆଉରଙ୍ଗଜେବଙ୍କ ନିର୍ଦ୍ଦେଶରେ ସଂଭାଜୀ ରାଜେଙ୍କୁ ଫାଶୀ ଦିଆଯାଇଥିଲା। ଅନ୍ୟପଟେ ଓସମାନାବାଦ ନିକଟରେ ଅଷ୍ଟମ ଶତାବ୍ଦୀରୁ ଥିବା ଏକ ଗୁମ୍ଫା ଧାରାଶିବ ଅନୁସାରେ ଏବେ ଏହି ଜିଲ୍ଲାର ନାମ ପରିବର୍ତ୍ତନ କରାଯାଇଛି।

Related Articles

Back to top button