
ପୋଲ ଭୁଶୁଡ଼ିବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହିତ ସହାୟତା ରାଶି କଲେ ଘୋଷଣା
ମଝି ନଈରେ ପୋଲ ଭୁଶୁଡ଼ି ପଡିବା ଘଟଣା । ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ପୋଲ ଭାଙ୍ଗିଯିବା ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ପ୍ରାଥମିକ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଇତିମଧ୍ୟରେ ୯ରେ ପହଞ୍ଚିଛି ମୃତକଙ୍କ ସଂଖ୍ଯା । ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ତେବେ ଆଜି ସକାଳ ସାଢେ ୮ଟାରେ ପୋଲଟି ଭୁଶୁଡି ପଡିବା ପରେ ନଦୀ ମଝିରେ ଦୁଇ ଖଣ୍ଡ ହୋଇଯାଇଥିଲା । ପୋଲ ଉପରେ ଟ୍ରାଫିକ୍ ଜାମ୍ ହୋଇଥିବାରୁ ଏପରି ଅଘଟଣ ଘଟିଲା । ପୁରୁଣା ପୋଲ ଥିବାରୁ ଏହା ଭୁଶୁଡି ପଡିଲା । ପୋଲ ଦୁଇଫାଳ ହେବା ପରେ ୫ରୁ ଅଧିକ ଗାଡ଼ି ନଦୀକୁ ଖସି ପଡିଥିଲା । ସେସବୁକୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ୨ଟି ଟ୍ରକ୍ ଏବଂ ପିକ୍ ଅପ୍ ଭ୍ଯାନ୍ ନଦୀରେ ପଡିଛି । ଗୋଟେ ଟ୍ରକ୍ ଝୁଲନ୍ତା ଅବସ୍ଥାରେ ପୋଲ ଉପରେ ରହିଛି ।
ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହିତ ଆହତଙ୍କୁ ଆର୍ଥିକ ସହାୟତା ଦେବା ସହିତ ଶୀଘ୍ର ସୁସ୍ଥ କାମନା କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି, ଗୁଜରାଟର ଭଦୋଦରା ଜିଲ୍ଲାରେ ପୋଲ ଭୁଶୁଡିବା ଯୋଗୁଁ ହୋଇଥିବା ଜନହାନିକୁ ନେଇ ବହୁତ ଦୁଃଖିତ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ସମବେଦନା । ଆହତ ଜଲଦି ସୁସ୍ଥ ହେବାକୁ କାମନା କରୁଛି । ଏହାସହିତ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯିବ ।