ଦଳ ଛାଡ଼ିଲେ ଏନସିପି ନେତା ଜିତେନ୍ଦ୍ର ସତିଶ ଆୱହାଦଙ୍କ ସହିତ ଅନ୍ୟ କିଛି ନେତା

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଅଧ୍ୟକ୍ଷ ପଦରୁ ଶରଦ ପାୱାର ଇସ୍ତଫା ଘୋଷଣା କରିବା ପରେ ଏବେ ସମସ୍ୟା ଆହୁରି ବଢ଼ିଯାଇଛି । ପଦରେ ରହିବା ନେଇ ଶରଦଙ୍କ ଉପରେ ଦଳୀୟ କର୍ମକର୍ତ୍ତାମାନେ ଚାପ ପ୍ରୟୋଗ କରୁଥିବା ବେଳେ ସେ ଏଥିପାଇଁ ୨-୩ ଦିନ ସମୟ ମାଗିଛନ୍ତି ।

ତେବେ ଏହା ମଧ୍ୟରେ ଏନସିପି ନେତା ଜିତେନ୍ଦ୍ର ସତିଶ ଆୱହାଦଙ୍କ ସହିତ କିଛି ନେତା ଦଳରୁ ଇସ୍ତଫା ଦେଇଛନ୍ତି । ଜିତେନ୍ଦ୍ର ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପଦରେ ରହିଥିଲେ । ଶରଦଙ୍କ ପରେ ଦଳର କମାଣ କିଏ ଧରିବ ସେନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଶରଦଙ୍କ ଝିଅ ସୁପ୍ରିୟା ସୁଲେ ଓ ପୁତୁରା ଅଜିତ ପାୱାର ଉପସ୍ଥିତ ରହିଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ୮୨ ବର୍ଷୀୟ ଶରଦ ୧୯୯୯ରେ ଏନସିପି ଗଠନ ହେବା ପରଠାରୁ ଦଳର ଅଧ୍ୟକ୍ଷ ପଦରେ ରହି ଆସିଥିଲେ । ସେ ଦୀର୍ଘ ୨୪ ବର୍ଷ ଧରି ଏହି ପଦରେ ରହି ଆସିଥିଲେ । ଗତବର୍ଷ ତାଙ୍କୁ ୪ ବର୍ଷ ପାଇଁ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ବିଗତ ୧୯୬୦ ମସିହା ମେ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ଶରଦଙ୍କ ରାଜନୈତିକ ଜୀବନ ଯାତ୍ରା ଏହା ମଧ୍ୟରେ ୬୩ ବର୍ଷ ଅତିକ୍ରାନ୍ତ କରି ସାରିଲାଣି । ଏହି ଅବଧି ମଧ୍ୟରେ ସେ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ନିକଟରେ ଏନସିପିର କିଛି ନେତା ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା ।

Related Articles

Back to top button